ନୀତୀଶଙ୍କ ସହ ଘନିଷ୍ଠତା ମହଙ୍ଗା ପଡ଼ିଲା ! ସୁଶୀଲ ମୋଦୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ନାହିଁ

ପାଟନା : ପାଟନାରେ ରବିବାର ଅନୁଷ୍ଠିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହୋଇଯାଇଛି ଯେ ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀଙ୍କୁ ଆଉ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ନାହିଁ। ତେବେ ବିଜେପି ଏନ୍‌ଡିଏର ବଡ଼ ଦଳ ହୋଇଥିବାରୁ ଏଥର ୨ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ନିଜ ହାତରେ ରଖିବାକୁ ନିଷ୍ପତ୍ତି ନେଇଛି। ସୁଶୀଲ ମୋଦୀ କହିଛନ୍ତି, ସେ ଆଉ ଥରେ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉନାହାନ୍ତି। ଦଳ ପକ୍ଷରୁ ତାଙ୍କୁ ଏ ବାବଦରେ ସଙ୍କେତ ମିଳିବା ପରେ ସୁଶୀଲ ମୋଦୀ ଟ୍ବିଟ୍‌ କରି କହିଛନ୍ତି, ବିଜେପି ଏବଂ ସଂଘ ପରିବାର ତାଙ୍କୁ ୪୦ ବର୍ଷର ରାଜନୈତିକ ଜୀବନରେ ବହୁତ କିଛି ଦେଇଛି। ଆଗକୁ ମଧ୍ୟ ଯେଉଁ ଦାୟିତ୍ବ ମିଳିବ ସେ ତାହା ନିଷ୍ଠାର ସହ ନିର୍ବାହ କରିବେ। ଦଳର କର୍ମୀ ଭାବେ ତାଙ୍କର ପଦକୁ କେହି ଛଡ଼ାଇ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସୁଶୀଲ ମୋଦୀଙ୍କ ଘନିଷ୍ଠତା ସର୍ବଜନବିଦିତ ଏବଂ ଏହା ତାଙ୍କ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ଅନେକ କ୍ଷେତ୍ରରେ ଦଳର ସ୍ବାର୍ଥକୁ ଅଣଦେଖା କରି ସୁଶୀଲ ନୀତୀଶଙ୍କୁ ସୁହାଇଲା ଭଳି କାମ କରିଥିବାରୁ ଏବେ ବିଜେପି ତା’ର ବିହାର ରଣନୀତିରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି।

ତାରକିଶୋର ପ୍ରସାଦ ହେବେ ଉପମୁଖ୍ୟମନ୍ତ୍ରୀ
୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ପଦ ବିଜେପି ହାତରେ ରହିବ !

ଆଜି ପର୍ଯ୍ୟବେକ୍ଷକ ଭାବେ ବିହାର ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଖୁବ୍‌ଶୀଘ୍ର ସ୍ଥିତି ସ୍ପଷ୍ଟ ହୋଇଯିବ। ସୁଶୀଲ ମୋଦୀଙ୍କୁ ବିଜେପି କେନ୍ଦ୍ର ବ୍ୟାବିନେଟ୍‌ରେ ସ୍ଥାନ ଦେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଆଜି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା କଟିହାର ବିଧାନସଭା ଆସନର ବିଧାୟକ ତାରକିଶୋର ପ୍ରସାଦ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଆସନ୍ତାକାଲି ସ୍ଥିତି ସ୍ପଷ୍ଟ ହେବ। ସୁଶୀଲ ମୋଦୀଙ୍କୁ କେନ୍ଦ୍ର ରାଜନୀତିକୁ ନେଇ ବିହାରରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିବାକୁ ମଧ୍ୟ ବିଜେପି ଯୋଜନା କରୁଛି।

ସମ୍ବନ୍ଧିତ ଖବର