ପଞ୍ଚଭୂତରେ ବିଲୀନ ସୁଷମା, ଝିଅ ବାଂଶୁରୀ ଦେଲେ ମୁଖାଗ୍ନି

ଲୁହ ସମ୍ବରଣ କରିପାରିଲେନି ମୋଦୀ, ଆଡ଼ଭାନୀ

ନୂଆଦିଲ୍ଲୀ : ମାନବିକତାର ପୂଜାରିଣୀ, ସମସ୍ତଙ୍କର ପ୍ରିୟ ନେତ୍ରୀ ସୁଷମା ସ୍ବରାଜ ଆଜି ପଂଚଭୂତରେ ବିଲୀନ ହୋଇଯାଇଛନ୍ତି। ଲୁହ ଭରା ଆଖିରେ ହଜାର ହଜାର ଜନତା ଦେଶର ଏହି ମହାନ ନେତ୍ରୀଙ୍କୁ ଆଜି ଶେଷ ବିଦାୟ ଦେଇଛନ୍ତି। ଦିଲ୍ଲୀ ସ୍ଥିତି ଲୋଧି ରୋଡ ଶବଦାହ କେନ୍ଦ୍ରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସୁଷମାଙ୍କ ଶେଷକୃତ ସଂପନ୍ନ ହୋଇଛି। ଝିଅ ବାଂଶୁରୀ ସୁଷମାଙ୍କ ଶେଷକୃତ୍ୟର ପ୍ରକ୍ରିୟା ପୂର୍ଣ୍ଣ କରିବା ସହ ମୁଖାଗ୍ନି ଦେଇଥିଲେ। ସୁଷମାଙ୍କୁ ଶେଷ ବିଦାୟ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଲାଲକୃଷ୍ଣ ଆଡଭାନୀ, ମୋଦୀ ମନ୍ତ୍ରିମଣ୍ଡଳର ସଦସ୍ୟ ଗଣ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୂର୍ବ ବିଦେଶ ମନ୍ତ୍ରୀ ତଥା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ସୁଷମା ସ୍ବରାଜଙ୍କ ଗତରାତିରେ ହୃଦ୍‌ଘାତ ଯୋଗୁଁ ୬୭ ବର୍ଷ ବୟସରେ ପରଲୋକ ଘଟିଥିଲା। ଦିଲ୍ଲୀ, ହରିୟାଣା ସରକାର ତାଙ୍କ ବିୟୋଗରେ ୨ ଦିନ ସରକାରୀ ଶୋକ ଘୋଷଣା କରିଛନ୍ତି। ପରଲୋକର କିଛି ଘଣ୍ଟା ପୂର୍ବରୁ ସୁଷମା ଟ୍ବିଟ୍‌ କରି ଜମ୍ମୁ କଶ୍ମୀର ସ୍ବତନ୍ତ୍ର ପାହ୍ୟାର ପରିସମାପ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଏହି ଦିନକୁ ଦେଖିବା ପାଇଁ ମୁଁ ଅପେକ୍ଷା କରି ରହିଥିଲି।

ମଂଗଳବାର ରାତିରେ ସୁଷମାଙ୍କ ଅଚାନକ ବିୟୋଗ ପରେ ତାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଏମ୍ସରୁ ଜନପଥ ସ୍ଥିତ ତାଙ୍କ ବାସଭବନ ଧୱନ ଦୀପ୍‌ ବିଲ୍‌ଡିଂକୁ ଅଣାଯାଇଥିଲା। ଆଜି ଅପରାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟାଳୟ ଅଣାଯାଇଥିଲା। ସେଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସାଧାରଣ ଜନତା ପ୍ରିୟ ନେତ୍ରୀଙ୍କ ଶେଷ ଦର୍ଶନ କରିଥିଲେ। ସୁଷମା ସ୍ବରାଜ ବିଜେପିର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ନେତ୍ରୀ ଥିଲେ ମଧ୍ୟ ତାଙ୍କ ପ୍ରତି ସବୁ ଦଳର ସମ୍ମାନ ରହିଥିଲା। ଆଜି ବିଭିନ୍ନ ଦଳର ନେତୃବୃନ୍ଦ ସୁଷମାଙ୍କ ବାସଭବନ ଏବଂ ବିଜେପି ମୁଖ୍ୟାଳୟରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୁଷମାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବରିଷ୍ଠ ନେତା ଆଡଭାନୀ ଲୁହ ସମ୍ବରଣ କରିପାରିନଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ମଧ୍ୟ ସୁଷମାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ବିଏସ୍‌ପି ସୁପ୍ରିମୋ ମାୟାବତୀ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରମୁଖ ଶତାଧିକ ନେତା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର