ସୁଷମା ସ୍ୱରାଜଙ୍କ ସ୍ୱାମୀ କହିଲେ, ‘ମୁଁ ସକାଳୁ ଉଠିଲା ବେଳକୁ ମୋର ପତ୍ନୀ ସୁଷମା ଚୌକିଦାର ବନି ଯାଇଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରରେ ନିଜ ନାମ ବଦଳାଇ ଦେଇଛନ୍ତି। ପ୍ରଥମେ ଟୁଇଟର ଆକାଉଣ୍ଟ@narendramodi ଲେଖାଥିଲା। ଏବେ ଏଥିରେ ଚୌକିଦାର ଯୋଡ଼ି ଦିଆଯାଇଛି। ଅର୍ଥାତ୍‌ ଏହା ‘ଚୌକିଦାର ନରେନ୍ଦ୍ର ମୋଦି’ ହୋଇଯାଇଛି। ଏହି କ୍ରମରେ ସୁଷମା ସ୍ୱରାଜ ବି ଟୁଇଟରରେ ନିଜ ନାମ ଆଗରେ ‘ଚୌକିଦାର’ ଲଗାଇ ଦେଇଛନ୍ତି। ଏହାକୁ ନେଇ ସୁଷମାଙ୍କ ସ୍ୱାମୀ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ସ୍ୱରାଜ କୌଶଳ ନିଜେ ଟୁଇଟ କରି ମଜାଳିଆ ଅନ୍ଦାଜରେ କହିଛନ୍ତି, ‘ମୁଁ ଯେତେବେଳେ ଆଜି ସକାଳେ ଉଠିଲି, ମୋର ପତ୍ନୀ ଚୌକିଦାର ବନି ଯାଇଥିଲେ।’ ସ୍ୱରାଜଙ୍କ ଏହି ଟୁଇଟକୁ ନେଇ ସୋସିଆଲ ମିଡିଆରେ ମଜାଦାର ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳୁଛି।

ଲୋକସଭା ନିର୍ବାଚନକୁ -୨୦୧୯କୁ ନେଇ ମାର୍ଚ୍ଚ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ଭି ଚୌକିଦାର’ କ୍ୟାମ୍ପେନର ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ସମୟରେ ବିରୋଧୀ ଦଳ ‘ଚୌକିଦାର’ ଶବ୍ଦର ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରିବାରେ ଲାଗିଛନ୍ତି। ଏହି କ୍ରମରେ ପିଏମ୍‌ ନିଜର ନାମରେ ଏହି ଶବ୍ଦକୁ ଯୋଡ଼ି ବିରୋଧୀଙ୍କୁ ଜବାବ ଦେଇଛନ୍ତି।

ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଜ ନାମ ବଦଳାଇ ଟୁଇଟରରେ ଚୌକିଦାର ଅମିତ ଶାହ ଲେଖିଛନ୍ତି । ଏହାପରେ ବିଜେପିର ଅନ୍ୟ ନେତୃମଣ୍ଡଳୀ ମଧ୍ୟ ଏହାକୁ ଅନୁକରଣ କରିଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ଜେପି ନଡ୍ଡା, ମନ୍ତ୍ରୀ ପିୟୁଷ ଗୋୟଲ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂହ, ଗୃହମନ୍ତ୍ରୀ ରାଜନାଥ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସମେତ ଅନେକ ନେତା କିଛି ସମୟ ମଧ୍ୟରେ ଟ୍ଵିଟରରେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି ।

ସମ୍ବନ୍ଧିତ ଖବର