ଚୀନ୍‌ରେ ସୁଷମାଙ୍କ ଘୋଷଣା : ମୂଳପୋଛ କରିଦେବୁ

ବେଜିଂ : ରୁଷ୍‌-ଭାରତ-ଚୀନ୍‌ (ଆର୍ଆଇସି) ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଚୀନ୍‌ ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଆଜି ଆତଙ୍କବାଦୀଙ୍କ ବିରୋଧରେ ଭାରତର ବିମାନ ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ପାକିସ୍ତାନରେ ଆତଙ୍କବାଦୀ ସଂଗଠନଗୁଡ଼ିକ କିଭଳି ପାକ୍‌ ସେନା ଏବଂ ଆଇଏସ୍‌ଆଇର ସହାୟତାରେ ଭାରତ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ ତାହାର ପ୍ରମାଣ ରଖି ସୁଷମା କହିଥିଲେ ଯେ ଭାରତ ଏଣିକି ଆତଙ୍କବାଦକୁ ଆଦୌ ବରଦାସ୍ତ କରିବ ନାହିଁ ଏବଂ ନିଜର ସୁରକ୍ଷା ପାଇଁ ଯଥୋଚିତ ପଦକ୍ଷେପ ନେବ।

ଭାରତର କାର୍ଯ୍ୟାନୁ‌ଷ୍ଠାନର ଯଥାର୍ଥତା ସମ୍ପର୍କରେ ସେ ଚୀନ୍‌ ଏବଂ ରୁଷ୍‌ ନେତାମାନଙ୍କୁ ଅବଗତ କରାଇ କହିଥିଲେ ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ସମଗ୍ର ବିଶ୍ବ ପାଇଁ ବିପଦର କାରଣ ହୋଇଛି। ପୁଲ୍‌ୱାମା ପରି ଆତଙ୍କବାଦୀ ଆକ୍ରମଣକୁ କେହି ବି ବରଦାସ୍ତ କରିପାରିବ ନାହିଁ ଏବଂ ସମସ୍ତ ଦେଶ ଆତଙ୍କବାଦର ମୂଳୋତ୍ପାଟନ ଦିଗରେ ପରସ୍ପରକୁ ସହଯୋଗ କରିବାର ଆବଶ୍ୟକତା ଅନୁଭବ କରିବା ଉଚିତ୍‌ ‌ବୋଲି ସେ କହିଛନ୍ତି। ନିକଟରେ ଜେଇଏମ୍‌ ଦ୍ବାରା ହୋଇଥିବା ପୁଲ୍‌ୱାମା ଆକ୍ରମଣ ପରେ ପାକିସ୍ତାନ ଏହାର ମାଟିରେ ଚାଲିଥିବା ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗି ବିଭ୍ରାନ୍ତି ସୃଷ୍ଟି କରିଛି। ଲଗାତାର ଏହା ନିଜ ଅଂଚଳରେ ଆତଙ୍କବାଦୀଙ୍କୁ ସମର୍ଥନ କରି ଭାରତ ବିରୋଧରେ ଏକପ୍ରକାର ଯୁଦ୍ଧ ଚଳାଇଛି। କିନ୍ତୁ ଜେଇଏମ୍‌ ଭାରତରେ ଅନେକ ବଡ଼ ଧରଣର ଆକ୍ରମଣ ‌ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଭାରତ ଖବର ପାଇବା ପରେ ଆଗୁଆ ସୁରକ୍ଷା ପାଇଁ ବାଲାକୋଟ୍‌ ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି ବୋଲି ସୁଷମା କହିଛନ୍ତି। ତେବେ ପାକିସ୍ତାନ ପଟୁ କୌଣସି ସାଧାରଣ ନାଗରିକ ଯେଭଳି ଏହି ଆକ୍ରମଣରେ କ୍ଷତିଗ୍ରସ୍ତ ନ ହୁଅନ୍ତି ସେ ନେଇ ଭାରତ ଏହାର ଟାର୍ଗେଟ୍‌ ଠିକ୍‌ ରଖିଥିଲା ବୋଲି ସୁଷମା ବୈଠକରେ କହିଛନ୍ତି।

ସମ୍ବନ୍ଧିତ ଖବର