ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରିବ ନାହିଁ କ୍ରିକେଟ ମ୍ୟାଚ୍‌: ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ବନ୍ଧୀୟ ଆଲୋଚନା ସେ ପର୍ଯ୍ୟନ୍ତ କରାଯିବ ନାହିଁ ଯେ ପର୍ଯ୍ୟନ୍ତ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିବା ବନ୍ଦ ନ କରିଛି ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସୋମବାର କହିଛନ୍ତି। ପାକିସ୍ତାନ କ୍ରିକେଟ ଦଳ ସହିତ ଭାରତୀୟ କ୍ରିକେଟ ଦଳ କୌଣସି ସ୍ଥାନରେ ଖେଳି ପାରିବେ ନାହିଁ ବୋଲି ଭାରତ ସ୍ପଷ୍ଟ କରି ଦେଇଛି।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ଭାରତ-ପାକ୍‌ ପାଇଁ କ୍ରିକେଟ ସିରିଜ ଅନୁକୂଳ ନୁହେଁ। ପାକ୍‌ ବାରମ୍ବାର ଭାରତର ଅସ୍ତ୍ରବିରତି ଉଲଂଘନ କରୁଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୁଷମା କହିଛନ୍ତି। ଇତିମଧ୍ୟରେ ପାକିସ୍ତାନ ୮୦୦ଥର ଅସ୍ତ୍ରବିରତି ଉଲଂଘନ କରିସାରିଛି।

ସୋମବାର ବୈଦେଶିକ ମନ୍ତ୍ରାଳୟର ଏକ ବୈଠକରେ ସୁଷମା ସ୍ୱରାଜ କହିଛନ୍ତି, ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦେଖି କ୍ରିକେଟ ସିରିଜର ଅନୁମତି ଦିଆଯାଇ ପାରିବ ନାହିଁ। ଦୁଇ ଦେଶ ମଧ୍ୟରେ ଏହି ଉତ୍ତେଜନା କମ୍‌ କରିବା ପାଇଁ ତଥା କ୍ରିକେଟ ଖେଳରେ ଯେଭଳି ସମସ୍ୟା ନ ଉପୁଜେ ସେ ନେଇ ଅନେକଥର ଆଲୋଚନା ମଧ୍ୟ ହୋଇସାରିଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ କ୍ରିକେଟ ଖେଳ ୨୦୧୨ ଡିସେମ୍ବର ମାସରେ ଖେଳା ଯାଇଥିଲା। ସେହି ସମୟରେ ଭାରତ ଓ ପାକିସ୍ତାନ ତିନିଟି ଦିନିକିଆ ଓ ୨ ଟି-୨୦ ସିରିଜ ଖେଳି ଥିଲା।

ସମ୍ବନ୍ଧିତ ଖବର