ସୁଷମାଙ୍କ ନିର୍ବ‌ାଚନ ନ ଲଢ଼ିବା ନିଷ୍ପତ୍ତିରେ ବେଶି ଖୁସି ଥିଲେ ସ୍ବାମୀ : ‘ମୁଁ ତୁମ ପଛରେ ଦୀର୍ଘ ୪୬ ବର୍ଷ ଧରି ଗୋଡ଼ାଉଛି’

ନୂଆଦିଲ୍ଲୀ : ଗତ ବର୍ଷ ନଭେମ୍ବରରେ ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ସୁଷମାଙ୍କର ଏହି ନିଷ୍ପତ୍ତି ପାଇଁ ସବୁଠୁ ବେଶୀ ଖୁସି ହୋଇଥିଲେ ତାଙ୍କ ସ୍ବାମୀ ସ୍ବରାଜ କୌଶଳ। ଟ୍ବିଟର୍‌ରେ ସୁ‌ଷମାଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ୍‌ କରି ସ୍ବରାଜ କହିଥିଲେ, ନିର୍ବାଚନ ନ ଲଢ଼ିବାପାଇଁ ନିଷ୍ପତ୍ତି ନେଇଥିବାରୁ ତୁମକୁ ଖୁବ୍‌ ଧନ୍ୟବାଦ। ସମୟ ଆସିଥିଲା ଯେତେବେଳେ ମିଲ୍‌ଖା ସିଂହ ମଧ୍ୟ ଦୌଡ଼ିବା ବନ୍ଦ କରିଦେଇଥି‌ଲେ। ଟ୍ବିଟ୍‌ ମାଧ୍ୟମ‌ରେ ସେ ତାଙ୍କ ପତ୍ନୀଙ୍କ ରାଜନୈତିକ କ୍ୟାରିୟରର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ‘ମ୍ୟାଡାମ୍‌ ମୁଁ ତୁମ ପଛରେ ଦୀର୍ଘ ୪୬ ବର୍ଷ ଧରି ଗୋଡ଼ାଉଛି। ଏବେ ମୁଁ ଆଉ ୧୯ ବର୍ଷର ଯୁବକ ହୋଇନାହିଁ। ମୁଁ ବି ବେଳେବେଳେ ଅଣନିଶ୍ବାସୀ ‌ହୋଇ ପଡ଼ୁଛି। ତେଣୁ ତୁମର ଏହି ନିଷ୍ପତ୍ତି ପାଇଁ ବହୁତ ଧନ୍ୟବାଦ।

ସୁଷମାଙ୍କ ରାଜନୈତିକ କ୍ୟାରିୟରକୁ ପ୍ରଶଂସା କରି ସ୍ବରାଜ କୌଶଳ କହିଥିଲେ ‘୨୫ ବର୍ଷ ବୟସରୁ ତୁମେ ନିର୍ବା‌ଚନ ଲଢ଼ୁଛ। ଦୀର୍ଘ ୪୧ ବର୍ଷ ଧରି ମାରାଥନ୍‌ ନିର୍ବାଚନୀ ଦୌଡ଼ରେ ସାମିଲ ହୋଇଛ।’ ସ୍ବରାଜ କୌଶଳଙ୍କ ଏହି ଟ୍ବିଟ୍‌ ପରେ ଉଭୟଙ୍କ ମଧ୍ୟରେ ଥିବା ଭଲପାଇବାକୁ ଟ୍ବିଟର୍‌ରେ ଯୁବପିଢ଼ି ପ୍ରଶଂସା କରିଥିଲେ। ସୁଷମା ସ୍ବରାଜ ଯେ‌ବେ ବି ତାଙ୍କ ପରିବାରରେ ସମୟ କାଟିବା ସୁ‌ଯୋଗ ପାଆନ୍ତି ସେ ସମୟରେ ସେ ସବୁବେଳେ ତାଙ୍କ ସ୍ବାମୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ପସନ୍ଦ କରନ୍ତି। ୨୦୧୮ରେ ଜଣେ ମୁସଲିମ୍‌ ଦମ୍ପତିଙ୍କର ପାସପୋର୍ଟ ପାଇଁ ସାହାଯ୍ୟ କରି ଇଣ୍ଟରନେଟ୍‌ରେ ସୁଷମା ସମାଲୋଚନାର ଶିକାର ହୋଇଥିଲେ। ତେବେ ସ୍ବରାଜ ଏହି ପ୍ରସଙ୍ଗରେ ସୁଷମାଙ୍କୁ ଦୃଢ଼ ସମର୍ଥନ କରି ସମାଲୋଚନାକୁ ଖାତିର୍‌ ନ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର