ନୂଆଦିଲ୍ଲୀ : ମା’ଙ୍କ ଇଚ୍ଛା ପୂରା କଲେ ଝିଅ। ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ଝିଅ ବାଂଶୁରୀ ସ୍ୱରାଜ। କୂଳଭୁଷଣ ଯାଦବ ମାମଲାରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ବକେୟା ଥିବା ୧ ଟଙ୍କାର ପାଉଣା ଦେଇଛନ୍ତି ବାଂଶୁରୀ।

Advertisment

ସୁଷମା ସ୍ୱରାଜଙ୍କ ପରଲୋକ ସହ ଏକ ଏଭଳି ଘଟଣା ସାମ୍ନାକୁ ଆସିଥିଲା, ଯାହା ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତିକୁ ଦୋହଲାଇ ଦେଇଥିଲା। ମୃତ୍ୟୁର ଠିକ୍ ଘଂଟାକ ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ସ୍ୱରାଜ। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ- ଆଇସିଜେରେ କୁଲଭୂଷଣଙ୍କ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ସହ କଥା ହୋଇଥିଲେ ସୁଷମା। ରାତି ପ୍ରାୟ ୮ଟା ୫୦ରେ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା।

ସୁଷମା ସ୍ୱରାଜ
‘ହେଲୋ ହରିଶ ଜୀ । ଆପଣଙ୍କୁ କାଲି ଆସି ମୋତେ ଭେଟିବାକୁ ପଡିବ । ଆପଣ ଜିତିଥିବା କେସ ପାଇଁ ମୋର ଟଙ୍କାଟିଏ ଦେବାର ଅଛି । କାଲି ସଂଧ୍ୟା ୬ଟାରେ ଆସନ୍ତୁ ।’

ହରିଶ ସାଲଭେ
‘ନିଶ୍ଚୟ । ମୋର ବହୁମୂଲ୍ୟ ଟଙ୍କାଟିଏ ନେବା ପାଇଁ ମୁଁ ନିଶ୍ଚୟ ଯିବି ।’

ପାକିସ୍ତାନ ଜେଲରେ ବନ୍ଦୀ ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ ମାମଲା ଅନ୍ତର୍ଜାତୀୟ କୋର୍ଟ ଆଇସିଜେରେ ଲଢୁଛନ୍ତି ହରିଶ ସାଲଭେ। ଯେଉଁଥିପାଇଁ ସେ କେବଳ ସାଂକେତିକ ଭାବେ ୧ ଟଙ୍କା ଫିସ୍ ନିଅନ୍ତି। କୁଲଭୂଷଣ ମାମଲାକୁ ଆଇସିଜେରେ ପହଂଚାଇବା ସହ ପାକିସ୍ତାନ ଜେଲରେ ବନ୍ଦୀ ଏହି ଭାରତୀୟ ନାଗରିକଙ୍କୁ ଫାଶୀ ଖୁଂଟରୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ପୁର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ନୂଆଦିଲ୍ଲୀର ଅନ୍ତର୍ଜାତୀୟ ଚାପ ଫଳରେ ପାକିସ୍ତାନର ସାମରିକ କୋର୍ଟ କୁଲଭୂଷଣଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ ମଧ୍ୟ ଏହାକୁ କାର୍ୟ୍ୟକାରୀ କରିପାରି ନାହିଁ ।