ଇଟାଲୀରେରେ ଭାରତୀୟ ଛାତ୍ରମାନଙ୍କୁ ଆକ୍ରମଣ: ଘଟଣା ଉପରେ ନଜର ରଖିଛନ୍ତି ସୁଷମା ସ୍ୱରାଜ

ନୂଆଦିଲ୍ଲୀ: କେତେକ ଭାରତୀୟ ଛାତ୍ର ମିଲନ୍‌ରେ ଜାତିଗତ ଆକ୍ରମଣର ଶିକାର ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏଥିରେ ହସ୍ତକ୍ଷେପ କରି ତତ୍ପରତା ଦେଖାଇଥିବା ଜଣାଯାଇଛି । ଇତିମଧ୍ୟରେ ଭାରତୀୟ ବାଣିଜ୍ୟିକ ଦୂତାବାସର ଅଧିକାରୀମାନେ ମିଲ୍‌ନରେ ଏହି ପୀଡିତ ଛାତ୍ରମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀମତୀ ସ୍ୱରାଜ ପ୍ରକାଶ କରିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ଵିଟର ଯୋଗେ ସୂଚନା ଦେଇଛନ୍ତି ଯେ ମିଲନରେ ଭାରତୀୟ ଛାତ୍ରମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ ଏବଂ ସେ ନିଜେ ଏହି ଘଟଣାରେ ଅନୁଧ୍ୟାନ କରୁଥିବା ଦର୍ଶାଇଛନ୍ତି ।
ମିଲନଠାରେ ଥିବା ଭାରତୀୟ ବାଣିଜ୍ୟିକ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଘଟଣାକୁ ମିଲନ ସର୍ବୋଚ୍ଚ୍‌ ଆଇନ୍‌ କାନୁନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ପୀଡ଼ିତ ଭାରତୀୟ ଛାତ୍ରଛାତ୍ରୀମାନେ ଏ ସଂପର୍କରେ ତତ୍‌କ୍ଷଣାତ୍‌ ବାଣିଜ୍ୟିକ ଦୂତାବାସ ସହ ଯୋଗାଯୋଗ କରନ୍ତୁ । ସେମାନେ ୩୨୯୦୮୮୪୦୫୭ ମୋବାଇଲ୍‌ ନମ୍ବରରେ ବି ଭାରତୀୟ ବାଣିଜ୍ୟିକ ଦୂତାବାସକୁ ଫୋନ୍‌ ଯୋଗେ ସୂଚନା ଦେଇପାରିବେ । ଠିକ୍‌ ସେହିପରି ଛାତ୍ରଛାତ୍ରୀମାନେ ଯେତେବେଳେ ବି ପଦାକୁ ଯାଉଛନ୍ତି, ପରସ୍ପର ସହିତ ଯୋଗାଯୋଗରେ ରହିବାକୁ ଏବଂ ବାଣିଜ୍ୟିକ ଦୂତାବାସର ପରାମର୍ଶ ନେବାକୁ କୁହାଯାଇଛି । ଏହିଭଳି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ, ସେଥିପ୍ରତି ମଧ୍ୟ ଯଥେଷ୍ଟ ସତର୍କତାର ସହିତ ଧ୍ୟାନ ଦିଆଯାଉଛି ବୋଲି ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ କୁହାଯାଉଛି ।

 

ସମ୍ବନ୍ଧିତ ଖବର