କୋଲକାତା: ଦକ୍ଷିଣ କୋଲକାତା ଆଇନ ମହାବିଦ୍ୟାଳୟରେ ଗଣଦୁଷ୍କର୍ମ ମାମଲାରେ ପୁଲିସ ଅନେକଗୁଡ଼ିଏ ପ୍ରମାଣ ସଂଗ୍ରହ କରିଛି। ପୀଡ଼ିତାଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ ସମେତ ଅଭିଯୁକ୍ତର ମୋବାଇଲ ଫୋନରେ ଥିବା ସିସିଟିଭି ଫୁଟେଜ୍ ଏବଂ ଭିଡିଓ କ୍ଲିପିଂ ସବୁ ପୀଡ଼ିତାଙ୍କ ଅଭିଯୋଗକୁ ଆହୁରି ସୁଦୃଢ଼ କରିଛି। ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ସମସ୍ତ ୩ ସନ୍ଦିଗ୍ଧଙ୍କ ଡିଏନ୍ଏ ନମୁନା ସଂଗ୍ରହ କରିଛି ଏବଂ ଯେଉଁ ହକି ଷ୍ଟିକ୍ରେ ମହିଳାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା ତାହା ସହିତ ଅଭିଯୁକ୍ତର ପୋଷାକ ମଧ୍ୟ ପୁଲିସ ଜବତ କରିଛି। ମେଡିକାଲ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି ଯେ ପୀଡ଼ିତାଙ୍କ ବେକରେ କ୍ଷତ ଚିହ୍ନ ରହିଛି। ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ମାମଲାରେ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ି କଲିକତା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ୩ ପୃଥକ୍ ଆବେଦନ କରାଯାଇଛି।
ମାମଲାର ତଦନ୍ତ କରୁଥିବା ଜଣେ ପୁଲିସ ଅଫିସର କହିଛନ୍ତି, ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ଏହି ଆକ୍ରମଣ ଯୋଜନା କରିଥିଲେ। ୩ ଅଭିଯୁକ୍ତ ମନୋଜିତ ମିଶ୍ର, ପ୍ରତିମ ମୁଖାର୍ଜୀ ଏବଂ ଜାଇଦ ଅହମଦ କଲେଜର ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ପୂର୍ବରୂ ରେକର୍ଡ ମଧ୍ୟ ରହିଛ। ଚତୁର୍ଥ ଅଭିଯୁକ୍ତ ହେଉଛନ୍ତି କଲେଜର ସିକ୍ୟୁରିଟି ଗାର୍ଡ। ଅଭିଯୁକ୍ତ ମୁଖାର୍ଜୀ ଏବଂ ଅହମଦର ଘରେ ପୁଲିସ ରବିବାର ଚଢ଼ଉ କରିଛି। ମୁଖାର୍ଜୀ ଏବଂ ଅହମଦ ପୁଲିସକୁ କହିଛନ୍ତି ଯେ ମନୋଜିତ ମିଶ୍ର ସେମାନଙ୍କୁ ୨ ଦିନ ପୂର୍ବେ କହିଥିଲା ଯେ ଯଦି ସେମାନେ ଉକ୍ତ ମହିଳାଙ୍କୁ କଲେଜ୍ ପରେ ଅଟକାଇ ରଖିପାରିବେ ତେବେ ସେ ସେମାନଙ୍କୁ ଟିଏମ୍ସି ଯୁବ ଶାଖାରେ ଉତ୍ତମ ପଦବି ଦେବାରେ ସହଯୋଗ କରିବେ। ପୀଡ଼ିତା ନିଜ ଟିପ୍ପଣୀରେ କହିଛନ୍ତି ଯେ ଟିଏମ୍ସି ଯୁବ ଶାଖାରେ ତାଙ୍କୁ ମହିଳା ସମ୍ପାଦକ ପଦବି ଦିଆଯାଇଥିଲା। ପରବର୍ତ୍ତୀ ଆଲୋଚନା ପାଇଁ ତାଙ୍କୁ କଲେଜରେ କିଛି ଘଣ୍ଟା ରହିବାପାଇଁ କୁହାଯାଇଥିଲା। ସୂଚନାନୁଯାୟୀ ଅପରାଧ ଘଟିବା ଦିନ କଲେଜରେ ଅପରାହ୍ଣ ୪ଟାପରେ ଯେଉଁମାନେ ଥିଲେ ପୁଲିସ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି। ଇତିମଧ୍ୟରେ ଏହି ଜଘନ୍ୟ କାଣ୍ଡ ଘଟିଥିବା ସାଉଥ୍ କୋଲକାତା ଲ’ କଲେଜର କର୍ତ୍ତୃପକ୍ଷମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କ୍ଲାସ୍ ବାତିଲ କରିଛନ୍ତି। ମାମଲାର ତଦନ୍ତ କରିଥିବା ଏସ୍ଆଇଟି ୟୁନିଅନ ରୁମ୍ , ଗାର୍ଡ ରୁମ୍ ଏବଂ କଲେଜ ଗେଟ୍ ସିଲ୍ କରିଛନ୍ତି।