ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଉପସାଗରୀୟ ଦେଶରେ ଭୀଷଣ ରାଗ ଓ ସ୍ବଦେଶରେ ତୀବ୍ର ପ୍ରତିବାଦ ସୃଷ୍ଟି କରାଇଥିବା ନିଲମ୍ବିତା ବିଜେପି ନେତ୍ରୀ ସମଗ୍ର ଦେଶ ନିକଟରେ କ୍ଷମାପ୍ରାର୍ଥନା କରିବା ଉଚିତ ଏବଂ ଦେଶରେ ଯାହା ହେଉଛି ସେଥିପାଇଁ ଏକା ସେ ହିଁ ଦାୟୀ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।
ବିଚାରପତି ସୂର୍ଯ୍ୟକାନ୍ତ କହିଲେ, ସେ କିଭଳି ହିଂସା ଉଦ୍ରେକ କଲେ ସେ ବିତର୍କ ଆମେ ଦେଖିଲୁ। କିନ୍ତୁ, ସେ ଯେଭଳି ଢଙ୍ଗରେ ସେ ସବୁ କହିଲେ ଏବଂ ନିଜେ ଜଣେ ଓକିଲ ବୋଲି ପରେ ପରିଚୟ ଦେଲେ ତାହା ଲଜ୍ଜାଜନକ। ସମଗ୍ର ଦେଶ ନିକଟରେ ସେ କ୍ଷମାଭିକ୍ଷା କରିବା ଉଚିତ।
ତାଙ୍କ ମନ୍ତବ୍ୟ ବିପକ୍ଷରେ ଫାଇଲ୍ ହୋଇଥିବା ସମସ୍ତ ‘ଏଫ୍ଆଇଆର୍’ ଦିଲ୍ଲୀକୁ ସ୍ଥାନାନ୍ତର କରିବା ପାଇଁ ନୂପୁର ଶର୍ମା ଦାଏର କରିଥିବା ପିଟିସନ୍ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ସୁପ୍ରିମ୍ କୋର୍ଟ କହିଛନ୍ତି।
ନୂପୁରଙ୍କ ଧମକ ଦିଆଯାଉଛି ବୋଲି ତାଙ୍କ ଓକିଲ କହିବାରୁ ବିଚାରପତି ସୂର୍ଯ୍ୟକାନ୍ତ କହିଲେ, ତାଙ୍କୁ ଧମକ ଦିଆଯାଉଛି ନା ସେ ନିରାପତ୍ତା ନିମନ୍ତେ ବିପଦ ପାଲଟି ଯାଇଛନ୍ତି? ସାରା ଦେଶରେ ସେ କିଭଳି ଭାବାବେଗ ସୃଷ୍ଟି ନ କରିଛନ୍ତି! ଦେଶରେ ଯାହା ଘଟୁଛି ସେଥିପାଇଁ ଏକମାତ୍ର ଏ ମହିଳା ହିଁ ଦାୟୀ।
/sambad/media/post_attachments/wp-content/uploads/2022/07/ns1.jpg)
ତାଙ୍କ ମନ୍ତବ୍ୟ ତାଙ୍କ ଜିଦ୍ଖୋର ଏବଂ ଅହଂକାରୀ ଚରିତ୍ରକୁ ପ୍ରତିପାଦନ କରୁଛି ବୋଲି ଅଦାଲତ କହିଛନ୍ତି।
ଗୋଟାଏ ଦଳର ମୁଖପାତ୍ର ହେଲେ କ’ଣ ହେଲା। କ୍ଷମତାର ସମର୍ଥନ ଥିବାରୁ ସେ ଦେଶର ଆଇନକୁ ଅସମ୍ମାନ କରି ଯେକୌଣସି ମନ୍ତବ୍ୟ ଦେଇପାରିବେ ବୋଲି ନୂପୁର ବିଚାର କରୁଥିବା କଥା ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି।
କିନ୍ତୁ, ତାଙ୍କ ଓକିଲ କହିଲେ, ଟେଲିଭିଜନ୍ ବିତର୍କ ସମୟରେ ସେ କେବଳ ଉପସ୍ଥାପକ ପଚାରି ଥିବା ପ୍ରଶ୍ନର ଉତ୍ତର ଦେଇଥିଲେ।
ଏକଥା ଶୁଣି ଅଦାଲତ କହିଲେ, ତେବେ ଉପସ୍ଥାପକଙ୍କ ବିରୋଧରେ ମାମଲା ରୁଜୁ କରିବା ଉଚିତ।
ପ୍ରତ୍ୟୁତ୍ତରରେ ଓକିଲ କହିଲେ, ତେବେ ନାଗରିକମାନଙ୍କର ପଚାରିବାର ଅଧିକାର ନାହିଁ।
ସତର୍କତାର ସହ ବିଚାରପତି ଉତ୍ତର ଦେଲେ, ଗଣତନ୍ତ୍ରରେ ସମସ୍ତଙ୍କର କହିବାର ଅଧିକାର ଅଛି। ଗଣତନ୍ତ୍ରରେ ଘାସର ବଢ଼ିବା ଅଧିକାର ଅଛି ଏବଂ ଗଧର ଖାଇବା ଅଧିକାର ଅଛି। କିନ୍ତୁ, ତା’ର ଅର୍ଥ ନୁହେଁ ଯେ, ଜଣେ ଯାହା ଇଚ୍ଛା ତାହା କହି ପକାଇବ। ସଂଯମ ରକ୍ଷା କରିବା ଉଚିତ।