ନାନ୍ସି ପେଲୋସିଙ୍କ ଏସିଆ ଗସ୍ତ ଆରମ୍ଭ: ତାଇୱାନ ଗସ୍ତକୁ ନେଇ ସସପେନ୍ସ ଜାରି

ବେଜିଂ : ଆମେରିକା କଂଗ୍ରେସର ନିମ୍ନ ସଦନ ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସିଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀର ଏସିଆ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିନିଧି ମଣ୍ଡଳୀ ଏସିଆ ମହାଦେଶର ସିଙ୍ଗାପୁର, ମାଲେସିଆ, ଦକ୍ଷିଣ କୋରିଆ ଏବଂ ଜାପାନ ଗସ୍ତ କରିବେ ବୋଲି ପେଲୋସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପେଲୋସି ତାଇୱାନ ଗସ୍ତ କରିବେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ଅନ୍ୟପକ୍ଷରେ ପେଲୋସି ତାଇୱାନ ଗସ୍ତ କଲେ ଚୀନ୍‌ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ବୋଲି ଚେତାବନୀ ଦେଇଥିବାରୁ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଛି।

ଆମେରିକାରେ ପାହ୍ୟା ଦୃଷ୍ଟିରୁ ପ୍ରତିନିଧି ସଭାର ବାଚସ୍ପତି ତୃତୀୟ ସ୍ଥାନରେ ରହିଥାନ୍ତି। ବାଚସ୍ପତି ପେଲୋସିଙ୍କ ଏହି ଗସ୍ତ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ପାରସ୍ପରିକ ସୁରକ୍ଷା, ଅର୍ଥନୈତିକ ସହଭାଗିତା ଏବଂ ଗଣତାନ୍ତ୍ରିକ ଶାସନ ଉପରେ ପର୍ଯ୍ୟବସିତ ରହିବ। ଉକ୍ତ ପ୍ରତିନିଧି ମଣ୍ଡଳୀରେ ଗୃହର ବିଦେଶ ବ୍ୟାପାର କମିଟି ଅଧ୍ୟକ୍ଷ ଗ୍ରିଗୋରି ମିକ୍ସ ରହିଛନ୍ତି।

ତେବେ ଆମେରିକାର କୌଣସି ‌ସରକାରୀ ଅଧିକାରୀଙ୍କ ତାଇୱାନ ଗସ୍ତକୁ ଚୀନ ତୀବ୍ର ବିରୋଧ କରୁଛି। ଆମେରିକା ଅଧିକାରୀଙ୍କ ତାଇୱାନ ଗସ୍ତ ସେଠାକାର ସ୍ବାଧୀନତା ସପକ୍ଷବାଦୀଙ୍କୁ ଉତ୍ସାହିତ କରିବ ବୋଲି ଚୀନ ଅଭିଯୋଗ କରୁଛି। ଯଦିଓ ତାଇୱାନ ସହିତ ଆମେରିକାର ସରକାରୀ ଭାବେ କୂଟନୈତିକ ସଂପର୍କ ନାହିଁ କିନ୍ତୁ ଏହି ଦେଶକୁ ଆମେରିକା ସୁରକ୍ଷା ଦେବାକୁ ପ୍ରସ୍ତୁତ ଅଛି। ତେଣୁ ‌ନାନ୍ସି ପେଲୋସି ଯଦି ତାଇୱାନ ଗସ୍ତ କରନ୍ତି ତାହେଲେ ତାହା ନିଶ୍ଚିତ ଭାବେ ଚୀନକୁ ଚକିତ କରିବ। ପୂର୍ବରୁ ୧୯୯୭ ମସିହାରେ ଆମେରିକା କଂଗ୍ରେସର ନିମ୍ନ ସଦନ ବାଚସ୍ପତି ନ୍ୟୁଟ୍‌ ଗିଙ୍ଗରିଚ୍‌ ତାଇୱାନ ଗସ୍ତରେ ଯାଇଥିଲେ। ଗତ ଗୁରୁବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଜୋ ବାଇଡେନଙ୍କୁ ଚେତାବନୀ ଦେଇ ସାରିଛନ୍ତି। ଯେଉଁମାନେ ନିଆଁ ସହିତ ଖେଳ‌େିବ ସେମାନେ ସେଥିରେ ଧ୍ବଂସ ହୋଇଯିବେ ବୋଲି ଜିନପିଙ୍ଗ କହିଛନ୍ତି।

ଅନ୍ୟପକ୍ଷରେ ଜିନପିଙ୍ଗଙ୍କୁ ବାଇଡେନ କହିଛନ୍ତି ଯେ ୱାସିଂଟନର ତାଇୱାନ ନୀତି ପରିବର୍ତ୍ତନ ହୋଇନାହିଁ। ସ୍ଥିତାବସ୍ଥାକୁ ଏକପାଖିଆ ଭାବେ ବଦଳାଇବାକୁ ୱାସିଂଟନ ଦୃଢ଼ ବିରୋଧ କରିଥାଏ। ‌ ଆମେରିକାର ବିମାନ ବାହକ ୟୁଏସଏସ ରୋନାଲ୍ଡ ରେଗାନ ଓ ଏହାର ଷ୍ଟ୍ରାଇକ ଗ୍ରୁପ୍ ଦକ୍ଷିଣ ଚୀନ ସାଗରକୁ ଗୁରୁବାର ଫେରିଛି। ତେଣୁ ଏହାର ଆଖପାଖ ଅଞ୍ଚଳରେ ଚୀନ ସାମରିକ କାର୍ଯ୍ୟକଳାପକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର