ଇସଲାମାବାଦ: ପାକିସ୍ତାନରେ ଗତକାଲି ଅନାସ୍ଥା ଭୋଟ ପୂର୍ବରୁ ଉପବାଚସ୍ପତି କରିଥିବା ସଂସଦ ଭଙ୍ଗ ଘଟଣାର ବୈଧତାକୁ ନେଇ ସସ୍ପେନ୍ସ ଜାରି ରହିଛି। ଏହି ମାମଲାର ଶୁଣାଣିକୁ ଆଜି ପାକିସ୍ତାନ ସୁପ୍ରିମ କୋର୍ଟ ଆସନ୍ତା କାଲିକୁ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରେ ଏହାର ଶୁଣାଣି ହେବ। ଏଥିସହିତ ପୂର୍ଣ୍ଣ କୋର୍ଟରେ ଉକ୍ତ ମାମଲାର ଶୁଣାଣି ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହୋଇଥିବା ଦାବିକୁ ମଧ୍ୟ ସୁପ୍ରିମ କୋର୍ଟ ଗ୍ରହଣ କରିନାହାନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ତୁମମାନଙ୍କର ଯଦି କୌଣସି ବିଚାରପତିଙ୍କ ବିରୋଧରେ କିଛି ଅଭିଯୋଗ ଅଛି ତା’ହେଲେ କୁହ। କିନ୍ତୁ ପୂର୍ଣ୍ଣ କୋର୍ଟ ବସିଲେ ଅନେକ ମାମଲାର ବିଚାର ବିଳମ୍ବ ହେବ। ଯଦି ଆମ ଉପରେ ଆସ୍ଥା ନାହିଁ ତା’ହେଲେ ଆମେ ମାମଲା ଛାଡ଼ିଦେବୁ ବୋଲି କୋର୍ଟ କହିଛନ୍ତି। ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ଇମ୍ରାନ ବିରୋଧୀଙ୍କୁ ଦେଇଥିବା ଚକ୍ମାର ନୂଆ ମୋଡ ଆସିପାରେ।
ନୂଆ ନିର୍ବାଚନ ପାଇଁ ଘୋଷଣା ପରେ ବିରୋଧୀ ଦଳଗୁଡ଼ିକ ସୁପ୍ରିମ କୋର୍ଟ ଯାଇଥିବାରୁ ଇମ୍ରାନ ତାହାକୁ ବିରୋଧ କରିଛନ୍ତି। ଏଥିସହିତ ସେ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନବିଚାରପତି ଗୁଲଜାର ଅହମଦଙ୍କ ନାମ ମନୋନୀତ କରିଛନ୍ତି। ପିଟିଆଇ ଦଳର କୋର୍ କମିଟିର ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ତାଙ୍କର ନାମ ଘୋଷଣା କରିଛନ୍ତି ବୋଲି ପୂର୍ବତନ ସୂଚନା ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ଫୱାଦ ଚୌଧାରୀ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଆଲଭି ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସମେତ ବିରୋଧ ଦଳ ନେତା ସହବାଜ ସରିଫଙ୍କ ନିକଟକୁ ସୋମବାର ଏକ ଚିଠି ଲେଖି କାମଚଳା ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସଂପର୍କରେ ପରାମର୍ଶ ଲୋଡ଼ିଥିଲେ। ଏଥିସହିତ ଇମ୍ରାନ ତାଙ୍କ ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସଂସଦୀୟ ଦଳ ବୋର୍ଡର ବୈଠକ ମଙ୍ଗଳବାର ଡାକିଛନ୍ତି। ପରବର୍ତ୍ତୀ ନିର୍ବାଚନ ପାଇଁ ଟିକଟ ବଣ୍ଟନ ଲାଗି ଏହି ବୈଠକରେ ଆଲୋଚନା ହେବ। ଆଜି ପ୍ରଧାନବିଚାରପତି ଉମର ଅତା ବାନ୍ଦିୟାଲ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିର ଆଇନଗତ ବୈଧତା ଉପରେ କୋର୍ଟ ଯୁକ୍ତିଯୁକ୍ତ ରାୟ ଦେବେ। ସେ ପୁଣି କହିଛନ୍ତି, ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ବାଚସ୍ପତିଙ୍କର ବିବେକାଧିକାର ଅଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ବିପଦ ରହିଥିବା ବିଷୟ ଯାହା ଇମ୍ରାନ ଖାନ୍ ଦର୍ଶାଇଛନ୍ତି ସେଥିସହ ଏକମତ ହୋଇନାହାନ୍ତି ବିରୋଧୀ ଦଳ ନେତା ଶାହବାଜ ସରିଫ। ପିଏମ୍ଏଲ୍(ଏନ୍) ନେତା ସରିଫ କହିଛନ୍ତି ଅନାସ୍ଥା ପ୍ରସ୍ତାବ ମାର୍ଚ୍ଚ ୮ ତାରିଖରେ ଦାଖଲ ହୋଇଥିଲା। ଯଦି ସେଭଳି କୌଣସି ବିପଦ ଥିଲା ତାହେଲେ ସେ କଥା ମାର୍ଚ୍ଚ ୨୪ ପୂର୍ବରୁ କାହିଁକି ପ୍ରକାଶ କରାଗଲା ନାହିଁ। ଇମ୍ରାନ ଏବଂ ତାଙ୍କ ଗୋଷ୍ଠୀ ପାକିସ୍ତାନର ସମ୍ବିଧାନକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରି ଆସନ୍ତାକାଲି ତାଙ୍କ ଦଳର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ମଧ୍ୟ ଡାକିଛନ୍ତି।