ସଂସଦରେ ନିଲମ୍ବନ ତାତି: କକ୍ଷତ୍ୟାଗ କରି ଧାରଣା ଦେଲେ ବିରୋଧୀ

ନିଲମ୍ବନ ପ୍ରତ୍ୟାହାର ପାଇଁ ମନାକଲେ ଅଧ୍ୟକ୍ଷ, ପ୍ରତିଦିନ ଧାରଣାରେ ବସିବେ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ହିଂସାତ୍ମକ ବ୍ୟବହାର ପାଇଁ ଗତକାଲି ରାଜ୍ୟସଭାର ୧୨ ସାଂସଦଙ୍କୁ ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରଯାଇଥିବାରୁ ଏହାର ତାତି ଆଜି ଉଭୟ ‌ରାଜ୍ୟସଭା ଏବଂ ଲୋକସଭାରେ ଦେଖିବାକୁ ମିଳିଛି। ବିରୋଧୀମାନେ ଉକ୍ତ ନିଲମ୍ବନକୁ ଜୋରଦାର ବିରୋଧ କରିଛନ୍ତି। ଫଳରେ ଆଜି ଲୋକସଭା ଏବଂ ରାଜ୍ୟସଭା ସ୍ବାଭାବିକ ଭାବେ ଚାଲିପାରି ନାହିଁ।

ଶୀତ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନେତୃତ୍ବରେ ବିରୋଧୀ ଦଳର ନେତାମାନେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁଙ୍କୁ ଭେଟି ୧୨ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। କିନ୍ତୁ ଅଧ୍ୟକ୍ଷ କହିଥିଲେ ନିଲମ୍ବିତ ସାଂସଦମାନେ ପଶ୍ଚାତାପ କରି କ୍ଷମା ନମାଗିବା ଏବଂ ଗୃହ ଉପଯୁକ୍ତଭାବେ ନଚାଲିବା ପର୍ଯ୍ୟନ୍ତ ଏହା ଉଠାଇବା ସମ୍ଭବ ନୁହେଁ। ଗତ ଅଧିବେଶନରେ ନିଲମ୍ବିତ ସାଂସଦମାନଙ୍କ ଆଚରଣରେ ଦେଶବାସୀ କ୍ଷୁବ୍ଧ ହୋଇଛନ୍ତି ବୋଲି ଅଧ୍ୟକ୍ଷ କହିଥିଲେ। ଖଡ୍‌ଗେ ସାଂସଦଙ୍କ ନିଲମ୍ବନକୁ ଘୋର ବିରୋଧ କରିଥିଲେ।

ନିୟମ ବିରୋଧରେ ଯାଇ ବାଛି ବାଛି ସାଂସଦଙ୍କୁ ନିଲମ୍ବନ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ନିୟମ ଅନୁଯାୟୀ, ଅଧ୍ୟକ୍ଷ ପ୍ରଥମେ ସାଂସଦଙ୍କ ନାମ ଘୋଷଣା କରିବା ସହିତ ପ୍ରଶ୍ନ କରିବା ଆବଶ୍ୟକ ଥିଲା। ତାହା ପରେ ନିଲମ୍ବନ ପ୍ରସ୍ତାବ ଅଣାଯିବା ଉଚିତ। ଏହା ପୁଣି ଯେଉଁଦିନ ଘଟଣା ଘଟିଥିବ ସେହିଦିନ ହେବା ଉଚିତ ବୋଲି ଯୁକ୍ତି ଦର୍ଶାଯାଇଥିଲା। ନିଲମ୍ବନ ପ୍ରସ୍ତାବ ପୂର୍ବରୁ କୌଣସି ସାଂସଦଙ୍କ ନାମ ଉଲ୍ଲେଖ କରାଯାଇ ନଥିଲା ବୋଲି ଖଡ୍‌ଗେ କହିଥିଲେ। ତେବେ ଅଧ୍ୟକ୍ଷ କହିଥିଲେ ବୁଲେଟିନରେ ସମସ୍ତଙ୍କ ନାମ ରହିଥିଲା।

‘ଗୃହରେ ତୁ‌ମେ ଗଣ୍ଡଗୋଳ କରିବ ଏବଂ ଏବେ ମୋତେ ପାଠ ପଢ଼ାଉଛ। ମୁଁ ନିଲମ୍ବନ ଉଠାଇ ପାରିବି ନାହିଁ। ଦଳଗୁଡ଼ିକର କକ୍ଷତ୍ୟାଗ କରିବା ଅଧିକାର ରହିଛି। କିନ୍ତୁ ସଂସଦର କାର୍ଯ୍ୟ ବ୍ୟାହତ ହେବା ଉଚିତ ନୁହେଁ’ ବୋଲି ଭେଙ୍କିଆ କହିଥିଲେ। ନିଲମ୍ବିତ ସାଂସଦମାନେ ପଶ୍ଚାତାପ ପ୍ରକାଶ କରି ନଥିବାରୁ ସେମାନଙ୍କ ବିରୋଧରେ ନିଲମ୍ବନ ଜାରି ରହିବ ବୋଲି ଅଧ୍ୟକ୍ଷ କହିଥିଲେ। ଏହାପରେ ବିରୋଧୀ ଦଳ ଗୁଡ଼ିକ କକ୍ଷତ୍ୟାଗ କରିଥିଲେ।

ରାଜ୍ୟସଭାକୁ ପ୍ରଥମେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏବଂ ପରେ ଦିନକ ପାଇଁ ମୁଲତବୀ ରଖାଯାଇଛି। ସେହିଭଳି ଲୋକସଭାରେ ମଧ୍ୟ ୧୨ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ ତାତି ଦେଖିବାକୁ ମିଳିଥିଲା। ବିରୋଧୀମାନଙ୍କୁ ଚୁପ୍ କରିବା ପାଇଁ ସରକାର ନିଲମ୍ବନକୁ ବ୍ୟବହାର କରୁଛନ୍ତି ବୋଲି ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଥିଲେ। କିଛି ସମୟ ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ବିରୋଧୀ ଦଳ ନେତାମାନଙ୍କ ସହ ଆଲୋଚନା କରି ଗୃହ ସ୍ବାଭାବିକ କରିବା ପାଇଁ ଉଦ୍ୟମ କରିଥିଲେ।

କିନ୍ତୁ ଏହା ସମ୍ଭବ ହୋଇ ନଥିଲା। ଫଳରେ ଲୋକସଭାକୁ ମଧ୍ୟ ଦିନକ ପାଇଁ ମୁଲତବୀ କରିଦିଆଯାଇଥିଲା। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ମଧ୍ୟ ଲୋକସଭାରେ କକ୍ଷତ୍ୟାଗ କରିଥିଲେ। ଉଭୟ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଥିଲେ। ଏହାପରେ ଖଡ୍‌ଗେଙ୍କ ଚାମ୍ବରରେ ସବୁଦଳର ନେତାମାନେ ଭେଟି ଆଲୋଚନା କରିଥିଲେ। ଏହା ପୂର୍ବରୁ ତୃଣମୂଳ କଂଗ୍ରେସକୁ ବାଦଦେଇ ଅନ୍ୟ ୧୬ ଦଳର ସଦସ୍ୟମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ନିଲମ୍ବନ ପ୍ରତ୍ୟାହାର ଦାବି କରିଥିଲେ। ଏହି ୧୬ ଦଳ ମଧ୍ୟରେ ଡିଏମ୍‌କେ, ଶିବସେନା, ଏନସିପି, ସିପିଏମ, ସିପିଆଇ, ଆରଜେଡି, ଏନସି, ଟିଆରଏସ ଏବଂ ଆପ୍ ଆଦି ରହିଥିଲେ। ନିଲମ୍ବିତ ସାଂସଦମାନେ ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିବେ ବୋଲି ତୃଣମୂଳ କଂଗ୍ରେସ ‌ସାଂସଦ ଡେରେକ ଓ’ବ୍ରେନ୍ କହିଛନ୍ତି।

ସମ୍ବନ୍ଧିତ ଖବର