ମୁମ୍ବାଇ: ବଦଲାପୁର ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ଅକ୍ଷୟ ସିନ୍ଦେର ପୁଲିସ ଗୁଳିରେ ମୃତ୍ୟୁ ହୋଇଛି। ତେବେ ଆଜି ଅକ୍ଷୟ ସିନ୍ଦେର ବାପାଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ମୁମ୍ବାଇ ପୁଲିସର ଏନ୍କାଉଣ୍ଟରକୁ ନେଇ କେତେକ ପ୍ରଶ୍ନ ଉଠାଇଛନ୍ତି। ବମ୍ବେ ହାଇକୋର୍ଟ କହିଛନ୍ତି, ଏହି ଘଟଣା ପଛରେ କିଛି ଷଡ଼୍ଯନ୍ତ୍ର ଥିବାଭଳି ଲାଗୁଛି। ଏହାକୁ ଏନ୍କାଉଣ୍ଟର କୁହାଯିବନାହିଁ। ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ଜେଲ୍ରୁ ଆଣି ତାକୁ ଶିବାଜୀ ହସ୍ପିଟାଲରେ ମୃତ ଘୋଷଣା କରାଯିବା ପର୍ଯ୍ୟନ୍ତ ଘଟଣାର ସିସିଟିଭି ଫୁଟେଜ୍କୁ ସୁରକ୍ଷିତ ରଖିବାପାଇଁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାମଲାର ତଦନ୍ତ ଭାର ସିଆଇଡିକୁ ନ୍ୟସ୍ତ କରାଯାଇଛି।
ପୁଲିସ କହିଛି ବଦଲାପୁର ସ୍କୁଲ୍ରେ ୨ ଶିଶୁକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ତାଲୋଜା ଜେଲ୍ରୁ ବଦଲାପୁର ନିଆଯାଉିବାବେଳେ ବାଟରେ ସେ ଏପିଆଇ ନୀଳେଶ ମୋରେଙ୍କ ପିସ୍ତଲ ନେଇ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା। ଉକ୍ତ ଘଟଣାରେ ୩ ପୁଲିସ ଆହତ ହୋଇଛନ୍ତି। ପୁଲିସର ପାଲଟା ଗୁଳିମାଡ଼ରେ ସିନ୍ଦେର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଆଇନଜୀବୀ ଆଜି ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରିବା ସମୟରେ କୋର୍ଟ କହିଥିଲେ, ଏହା ବିଶ୍ବାସ କରିହେବନାହିଁ। ପ୍ରାଥମିକ ସ୍ତରରୁ ଏହା ଜଣାପଡ଼ୁଛି ଯେ ଏଥିରେ କିଛି ଷଡ଼ଯନ୍ତ୍ର ରହିଛି। ଜଣେ ସାଧାରଣ ବ୍ୟକ୍ତି କେବେହେଲେ ପିସ୍ତଲ ଚଳାଇପାରିବନି ବୋଲି କୋର୍ଟ କହିଛନ୍ତି। ପୁଲିସ ଯାହା ବର୍ଣ୍ଣନା କରୁଛି ତାକୁ ବିଶ୍ବାସ କରିବା କଷ୍ଟ। କୋର୍ଟ କହିଛନ୍ତି, ପୁଲିସ କହୁଛି ଅଭିଯୁକ୍ତ ପୁଲିସ ଉପରକୁ ୩ ଥର ଗୁଳି ମାରିଛି।
ତେବେ କେବଳ ଗୋଟିଏ ଗୁଳି ପୁଲିସ ଦେହରେ ମାଡ଼ ହୋଇଥିବା ବେଳେ ଅନ୍ୟ ୨ଟି ଗଲା କୁଆଡ଼େ ? କୋର୍ଟ କହିଛନ୍ତି, ପୁଲିସ ଅଫିସର ସଞ୍ଜୟ ସିନ୍ଦେ ଅଭିଯୁକ୍ତର ମୁଣ୍ଡ ବଦଳରେ ତା’ ଗୋଡ଼ ଏବଂ ହାତକୁ ଟାର୍ଗେଟ୍ କରି ଗୁଳି କରିପାରିଥାନ୍ତେ। କୋର୍ଟ ପୁଲିସ ଗାଡ଼ିର ଡ୍ରାଇଭରଙ୍କ ସମେତ ଅନ୍ୟ ସମସ୍ତଙ୍କ କଲ୍ ଡାଟା ରେକର୍ଡ୍ ସଂଗ୍ରହ କରିବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଆମେ ପୁଲିସର କାର୍ଯ୍ୟକଳାପକୁ ସନ୍ଦେହ କରୁନୁ। କିନ୍ତୁ ଆମେ ସତ୍ୟ ଜାଣିବାକୁ ଚାହୁ। ଆମକୁ ସ୍ପଷ୍ଟ କଥା ଜଣାଇବାକୁ ହେବ। ପରବର୍ତ୍ତୀ ଗୁରୁବାର ଏହି ମାମଲାର ପୁଣିଥରେ ଶୁଣାଣି ହେବ। ଉକ୍ତ ଘଟଣାର ଏସ୍ଆଇଟି ତଦନ୍ତ ପାଇଁ ଅଭିଯୁକ୍ତର ବାପା ଦାବି କରିଛନ୍ତି।