ଗୋଟିଏ ପରିବାରର ୬ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଗୋଟିଏ ପରିବାରରେ ୬ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। ଉଦୟପୁର ଜିଲ୍ଲା ଗୋଗୁଣ୍ଡା ସହରର ଏକ ଘରୁ ଜଣେ ଦମ୍ପତି ଏବଂ ସେମାନଙ୍କ ୪ ପିଲାଙ୍କ ମୃତଦେହ ମିଳିଛି। ଜଣେ ମହିଳା ଏବଂ ଶିଶୁର ମୃତଦେହ ଚଟାଣରେ ପଡ଼ିଥିବାବେଳେ ସେମାନଙ୍କ ଶରୀରରେ କ୍ଷତଚିହ୍ନ ରହିଛି। ଅନ୍ୟପକ୍ଷେ ଅନ୍ୟମାନେ ସିଲିଂ ଫ୍ୟାନ୍‌ରେ ଝୁଲି ପଡ଼ିଛନ୍ତି। ମୃତକମାନେ ହେଉଛନ୍ତି ପ୍ରକାଶ ଗମେତି, ତାଙ୍କ ପତ୍ନୀ ଦୁର୍ଗା ଗମେତି ଏବଂ ‌ସେମାନଙ୍କ ୪ ପିଲା। ପ୍ରକାଶଙ୍କ ଘର ନିକଟରେ ତାଙ୍କର ଅନ୍ୟ ୨ ଭାଇ ରହନ୍ତି। ସେମାନେ ବହୁତ ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ପ୍ରକାଶଙ୍କ ଭାଇ ପୁଲିସରେ ଖବର ଦେଇଥିଲେ।

ଉଦୟପୁର ଗ୍ରାମୀଣ ପୁଲିସ ଆସି ଘଟଣା‌ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅତିରିକ୍ତ ଏସ୍‌ପି କୁନ୍ଦନ କନୱେରିୟାଙ୍କ ଅନୁଯାୟୀ ପ୍ରକାଶ ଗୁଜରାଟରେ କାମ କରୁଥିଲେ ଏବଂ ସେ ବସ୍‌ରେ ଖାଦ୍ୟ ବିକୁଥିଲେ। ଜଣାପଡ଼ିଛି ଯେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ପ୍ରାଥମିକ ତଦନ୍ତରୁ ଏବଂ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ‌ଯେ ସେମାନେ ଆତ୍ମହତ୍ୟା କରିଛନ୍ତି। ପୁଲିସ ସନ୍ଦେହ କରୁଛି ଯେ ପ୍ରକାଶ ପ୍ରଥମେ ତାଙ୍କ ପତ୍ନୀ ଏବଂ ଜଣେ ପିଲାଙ୍କୁ ତଣ୍ଟି ଚିପି ମାରିଛନ୍ତି ଏବଂ ଅନ୍ୟ ୩ ପିଲାଙ୍କୁ ତାଙ୍କ ପତ୍ନୀଙ୍କ ସ୍କାର୍ଫ ଏବଂ ଶାଢ଼ିରେ ଝୁଲାଇ ଦେବାପରେ ଶେଷରେ ନିଜେ ଆତ୍ମହତ୍ୟା କରିଛନ୍ତି। ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର