ଅନ୍ତର୍ଜାତୀୟ ମହଲରେ ହଇଚଇ : ଇସ୍ରାଏଲ୍‌ରେ ଚୀନ୍‌ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲ୍‌ରେ ଅବସ୍ଥାପିତ ଚୀନ୍‌ ରାଷ୍ଟ୍ରଦୂତ ଡୁ ୱେଇଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ଚୀନ୍‌ ରାଷ୍ଟ୍ରଦୂତଙ୍କ ଶବକୁ ତେଲ୍‌ ଅଭିଭ୍‌ ଉପକଣ୍ଠସ୍ଥ ବାସଭବନରୁ ପୁଲିସ ଉଦ୍ଧାର କରିଛି। ଚୀନ୍‌ ରାଷ୍ଟ୍ରଦୂତଙ୍କ କେଉଁ ପରିସ୍ଥିତିରେ ଏବଂ କିଭଳି ମୃତ୍ୟୁ ଘଟିଛି, ସେ ସଂପର୍କରେ ଇସ୍ରାଏଲ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ କରୋନା ସଙ୍କଟ କାଳରେ ଏହି ଖବର ଅନ୍ତର୍ଜାତୀୟ ମହଲରେ ହଇଚଇ ସୃଷ୍ଟି କରିଛି। ୫୮ ବର୍ଷୀୟ ୱେଇଙ୍କ ଶବ ଶେଜ ଉପରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା ଏବଂ ଘଟଣାସ୍ଥଳରେ ହିଂସାର କୌଣସି ଚିହ୍ନବର୍ଣ୍ଣ ନଥିଲା ବୋଲି ଦୂତାବାସର କର୍ମଚାରୀଙ୍କ ସୂତ୍ରରୁ ପ୍ରକାଶ। ଶୋଇଥିବା ଅବସ୍ଥାରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି।

ତେବେ ଚୀନ୍‌ ନିଜ ରାଷ୍ଟ୍ରଦୂତଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇସ୍ରାଏଲ ସରକାରଙ୍କ ପକ୍ଷରୁ ତଦନ୍ତ ରିପୋର୍ଟ ମିଳିବା ପରେ ଏ ବାବଦରେ ବୟାନ ଜାରି କରାଯିବ ବୋଲି ଚୀନ୍‌ କର୍ତ୍ତୃପକ୍ଷ କହିଛନ୍ତି। ଗତ ଫେବ୍ରୁଆରି ମାସରେ ୱେଇ ତେଲ୍‌ ଅଭିଭ୍‌ ଆସିଥିଲେ ଏବଂ ୨ ସପ୍ତାହ କ୍ବାରାଣ୍ଟିନ୍‌ରେ ଥିଲେ। ୱେଇଙ୍କ ପରିବାର ତାଙ୍କ ସହିତ ରହୁନଥିଲେ ଏବଂ ସେମାନେ ଚୀନ୍‌ରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଇସ୍ରାଏଲ୍‌ରେ ଦୀର୍ଘ ଦିନ ଧରି ରାଜନୈତିକ ଅଚଳାବସ୍ଥା ଲାଗି ରହିଥିଲା ଏବଂ ନିକଟରେ ଏହାର ଅବସାନ ଘଟିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ବେଂଜାମିନ୍‌ ନେତାନ୍ୟାହୁ ୫ମ ଥର ପାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର