ୟୁପିରେ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା: ନମୁନା ଟେଷ୍ଟିଂ ପାଇଁ ପଠାଗଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଜଣେ ୫ ବର୍ଷୀୟା ଶିଶୁ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଶିଶୁର ନମୁନା ଟେଷ୍ଟିଂ ପାଇଁ ପଠାଯାଇଛି। ଉକ୍ତ ଶିଶୁକୁ ଚିକିତ୍ସା କରୁଥିବା ଗାଜିଆବାଦର ଜିଲ୍ଲା ସର୍ଭେଲାନ୍ସ ଅଫିସର ଡାକ୍ତର ରାକେଶ ଗୁପ୍ତା କହିଛନ୍ତି ନଏଡ଼ାର ଏନ୍‌ଆ‌ଇବି (ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ବାୟୋଲୋଜିକାଲ୍ସ)କୁ ଶିଶୁର ନମୁନା ଅଧ୍ୟୟନ ପାଇଁ ପଠାଯାଇଛି। ତେବେ ଡାକ୍ତର ଗୁପ୍ତାଙ୍କ କହିବା ଅନୁଯାୟୀ ଉକ୍ତ ଶିଶୁ ନିକଟରେ ମଙ୍କିପକ୍ସର କୌଣସି ଲକ୍ଷଣ ନାହିଁ। ଶିଶୁର ପ୍ରାଥମିକ ଚିକିତ୍ସା କରାଯାଇଛି। ଜ୍ବର, ମୁଣ୍ଡିବନ୍ଧା ଏବଂ ଶ୍ବାସକ୍ରିୟାରେ ସମସ୍ୟା ଭଳି କୌଣସି ସମସ୍ୟା ତା’ ନିକଟରେ ନାହିଁ। ଶିଶୁର ପରିବାର ସଦସ୍ୟ ମଧ୍ୟ ନିକଟରେ ବାହାରକୁ ଯାଇନାହାନ୍ତି କି ସେମାନଙ୍କ ପରିବାରକୁ ମଧ୍ୟ ବିଦେଶରୁ କେହି ଆସିନାହାନ୍ତି। ଡାକ୍ତର ବିପି ତ୍ୟାଗୀଙ୍କ ଦ୍ବାରା ପରିଚାଳିତ ଇଏନ୍‌ଟି କ୍ଲିନିକ୍‌ରେ ଶିଶୁଟିକୁ କାନରେ କୌଣସି ସମସ୍ୟା ପାଇଁ ଭର୍ତ୍ତି କରାଯାଇଥିଲା।

ପ୍ରଥମେ ଶିଶୁର ମୁଣ୍ଡରେ ଏକ ଦାଗ ହୋଇଥିଲା ଏବଂ ପରେ ଏହା ସାରା ଶରୀରକୁ ବ୍ୟାପି ଯାଇଥିଲା। ଡାକ୍ତର ତ୍ୟାଗି ତାଙ୍କ କାନ ଚିକିତ୍ସା କରିବା ସମୟରେ ସଂକ୍ରମଣ ହୋଇଥିବା ଜାଣି ଅନ୍ୟ ସ୍ପେସାଲିଷ୍ଟ୍‌ଙ୍କୁ ଯୋଗା‌ଯୋଗ କରିଥିଲେ। ଡାକ୍ତର ତ୍ୟାଗୀଙ୍କ ଅନୁଯାୟୀ ଉକ୍ତ ଶିଶୁର ବଡ଼ ଭାଇ (୭) ନିକଟରେ ପକ୍ସ୍‌ରେ ପୀଡ଼ିତ ହୋଇଥିଲେ କିନ୍ତୁ କିଛି ଦିନରେ ସେ ସୁସ୍ଥ ହୋଇଗଲେ। ସମ୍ପୃକ୍ତ ଶିଶୁ ଏବଂ ତା’ ଭାଇ ଓ ବାପା ମା’ ଡାକ୍ତର ତ୍ୟାଗୀଙ୍କ କ୍ଲିନିକ୍‌ରେ ଆଇସୋଲେସନ୍‌ରେ ଅଛନ୍ତି। ତେବେ ଶିଶୁର ମା’ କହିଛନ୍ତି, ସେମାନେ ଅଧିକ ଆମ୍ବ ଖାଇଥିବାରୁ ସେଥିପାଇଁ ହୁଏତ ଏଭଳି ସମସ୍ୟା ଉପୁଜି ଥାଇପା‌ରେ। ଗାଜିଆବାଦ ମୁଖ୍ୟ ମେଡିକାଲ ଅଫିସର ଭବତେଶ ଶଙ୍ଖଦାର କହିଛନ୍ତି, ଏହା ମଙ୍କିପକ୍ସ ମାମଲା କି ନାହିଁ ତାହା ନମୁନା ଯାଞ୍ଚ ପରେ ହିଁ ଜଣାପଡ଼ିବ। ବିଧାୟକ ଏବଂ ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅତୁଲ ଗର୍ଗ‌୍ କହିଛନ୍ତି, ଗାଜିଆବାଦରୁ ଏଯାବତ କୌଣସି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇନି। କେବଳ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର