କୋଲକାତା: ଶନିବାର ବଦଳିଥିଲା ମୋଗଲ ଗାର୍ଡେନର ନାଁ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ପରିବର୍ତ୍ତନ କରାଯାଇ ଏହାର ନାଁ ‘ଅମୃତ ଉଦ୍ୟାନ’ ରଖାଯାଇଥିଲା। ତେବେ ଏଭଳି ଐତିହାସିକା ନାଁକୁ କେନ୍ଦ୍ର ସରକାର ବଦଳାଇବାରୁ ବିରୋଧୀ ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ହେଲେ ବିଜେପି ଏହି ପଦକ୍ଷେପକୁ ସଠିକ ବୋଲି କହିଛି।
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଶନିବାର କହିଛନ୍ତି ଯେ ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ ଏହାର ପୁନଃନାମକରଣ କରାଯିବା ଉଚିତ। ସେ କହିଛନ୍ତି ଯେ “ସେମାନେ (ମୋଗଲ) ଏତେ ସଂଖ୍ୟକ ହିନ୍ଦୁଙ୍କୁ ହତ୍ୟା କରିଥିଲେ ଏବଂ ମନ୍ଦିରଗୁଡିକୁ ନଷ୍ଟ କରିଦେଇଥିଲେ। ସେମାନଙ୍କ ନାମରେ ନାମିତ ସମସ୍ତ ସ୍ଥାନ ଚିହ୍ନଟ କରାଯାଇ ନାମକରଣ କରାଯିବା ଉଚିତ। ଯଦି ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସେ ତେବେ ଆମେ ଏକ ସପ୍ତାହ ମଧ୍ୟରେ ସମସ୍ତ ବ୍ରିଟିଶ ଏବଂ ମୋଗଲ ନାମ ହଟାଇବୁ।”
ତେବେ ଚଳିତ ବର୍ଷ ୩୧ ଜାନୁଆରୀରୁ ୩୦ ମାର୍ଚ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସାର୍ ଏଡ୍ୱିନ ଲୁଟିୟନ୍ସ ୧୯୧୭ରେ ଭାଇସରାୟ ହାଉସ୍ ନିର୍ମାଣ ଆରମ୍ଭ କରିଥିଲେ । ଏହି ଭବନର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସ୍ବତନ୍ତ୍ର ବଗିଚାର ପରିକଳ୍ପନା କରାଯାଇଥିଲା ଏବଂ ଏହି ଉଦ୍ୟାନ ଗଢ଼ିଉଠିଥିଲା।
ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି। ଏଠାରେ ୧୩୮ ପ୍ରକାରର ଗୋଲାପ, ୧୦,୦୦୦ରୁ ଅଧିକ ଟୁଲିପ ବଲ୍ବ ଏବଂ ୭୦ଟି ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ରହିଛି। ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ବାରା ଖୋଲା ଯାଇଥିଲା। ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ।