୪୮ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ : ଭାରତୀୟ ଜନଜୀବନ ଓ ଅର୍ଥନୀତିର ଜୀବନ ରେଖା କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ଏବର୍ଷ ବିଳମ୍ବିତ ହୋଇଛି । ସାଧାରଣତଃ ଜୁନ ୧ରେ କେରଳ ଆସୁଥିବା ମୌସୁମୀ ଏବର୍ଷ ଜୁନ ୭ ସୁଦ୍ଧା ବି ଆସିପାରିନାହିଁ । ତେବେ ଭାରତୀୟ ପାଣିପାଗ ବିଭାଗ ମୌସୁମୀର ଆଗମନକୁ ନେଇ ଏକ ବଡ଼ ଘୋଷଣା କରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ  ଅର୍ଥାତ୍ ଜୁନ ୯ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବ ।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୪୮ ଘଣ୍ଟାରେ ମୌସୁମୀ କେରଳ ପହଞ୍ଚିବାକୁ ପରିସ୍ଥିତି ଅନୁକୂଳ ରହିଛି । ଏହା ସହିତ ମୌସୁମୀ ଏହି ସମୟସୁଦ୍ଧା ସମ୍ପୂର୍ଣ୍ଣ ଲକ୍ଷଦ୍ବୀପ, ମାଳଦ୍ବୀପ ଓ କମୋରିନ ଅଂଚଳରେ ପହଞ୍ଚିବ ।

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟ ଭାରତୀୟ ଭୂଖଣ୍ଡଠାରୁ ଦୂରରେ ଥାଇ ସମୁଦ୍ର ଭିତରେ ପାକିସ୍ତାନ ଆଡ଼କୁ ଗତି କରୁଥିବାରୁ ମୌସୁମୀ ଉପରେ ଏହାର ପ୍ରଭାବ କମ ରହିବ । ଏଣୁ ମୌସୁମୀ କେରଳ ଛୁଇଁବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ମଧ୍ୟ ମୌସୁମୀ ବିଳମ୍ବ ହେବା କଥା କହିବା ସହ ଏହା ୯ ତାରିଖ ସୁଦ୍ଧା କେରଳ ଛୁଇଁବ ବୋଲି କହିଥିଲା । ତେବେ ମୌସୁମୀ ଛୁଇଁବା ପରେ ବି ତାହାର ପ୍ରଭାବ ଆରମ୍ଭରୁ ଦୁର୍ବଳ ରହିବ ଓ ପରେ ବର୍ଷା ପରିମାଣ ବଢିବ ବୋଲି ସଂସ୍ଥା କହିଥିଲା ।

 

ସମ୍ବନ୍ଧିତ ଖବର