ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ସମଗ୍ର ରାଜ୍ୟରୁ ଅପସରି ଯାଇଛି । ଗତ କିଛି ଦିନ ତଳେ ରାଜ୍ୟରୁ ମୌସୁମୀର ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଆଜି ଅବଶିଷ୍ଟ କେତେକ ଅଞ୍ଚଳରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ସହ ସମଗ୍ର ରାଜ୍ୟରୁ ମୌସୁମୀ ଅପସରି ଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ହୋଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଆଜିଠାରୁ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଜି ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ସହ ଏସବୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ କିଛି ଦଶନ୍ଧିରେ ସବୁଠାରୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଛି । ୨୦୧୦ରେ ମୌସୁମୀ ଅକ୍ଟୋବର ୨୬ରେ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ୨୦୧୧ରେ ଅକ୍ଟୋବର ୨୪, ୨୦୧୩ରେ ଅକ୍ଟୋବର ୧୯ ଓ ୧୯୮୫ରେ ଅକ୍ଟୋବର ୧୭ରେ ପ୍ରତ୍ୟାବର୍ତ୍ତନ କରିଥିଲା ।
ଗତ ଜୁନ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା । ସେହିପରି ଜୁନ ୧୧ରେ ଏହା ଓଡ଼ିଶାରେ ପହଞ୍ଚିଥିଲା ।