ଓଡ଼ିଶାରେ ପଡ଼ିରହିଛି ସ୍ବଚ୍ଛ ମିସନ ଅର୍ଥ

ସଂସଦୀୟ କମିଟିର ଉଦବେଗ, ବଳକା ରହିଛି ୧୮୪୮.୬୩ କୋଟି ଟଙ୍କା

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୮-୧୯ ଓ ୨୦୧୯-୨୯ ଏହି ଦୁଇ ବର୍ଷରେ ସ୍ବଚ୍ଛ ଭାରତ ମିସନ (ଗ୍ରାମୀଣ) ଓ ଜଳଜୀବନ ମିସନ ଯୋଜନା ପାଇଁ ଆସିଥିବା ଅର୍ଥ ମଧ୍ୟରୁ ୧୮୪୮.୬୩ କୋଟି ଟଙ୍କା ଖର୍ଚ୍ଚ ନ ହୋଇପଡ଼ିରହିଛି। ସେଥିମଧ୍ୟରୁ ସ୍ବଚ୍ଛ ଭାରତ ମିସନ ବାବଦ‌ରେ ୧୭୫୭.୩୫ କୋଟି ଟଙ୍କା ରହିଥିବାବେଳେ ଜଳ ଜୀବନ ମିସନ ବାବଦରେ ରହିଛି ୯୧.୨୮ କୋଟି ଟଙ୍କା। ତେବେ, ୨୦୨୦-୨୧ ଆର୍ଥିକବର୍ଷରେ ଜଳଜୀବନ ମିସନ ପାଇଁ ଆବଣ୍ଟନ ହୋଇଥିବା ୮୧୨.୧୫ କୋଟି ଟଙ୍କା ମଧ୍ୟରୁ ଚଳିତବର୍ଷ ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ୩୪୩.୫୮ଟଙ୍କା ଖର୍ଚ୍ଚ ହୋଇଛି। ଲୋକସଭା ସାଂସଦ ଡ. ସଞ୍ଜୟ ଜୟଶ୍ବାଲଙ୍କ ଅଧ୍ୟକ୍ଷତାରେ ଗଠିତ ଜଳଶକ୍ତି ମନ୍ତ୍ରାଳୟ ସମ୍ପର୍କିତ ସଂସଦୀୟ କମିଟି ତଥ୍ୟରୁ ଏହା ଜଣାପଡ଼ିଛି।

ଆସନ୍ତା ୨୦୨୪ ମସିହା ସୁଦ୍ଧା ଓଡିଶା ସମେତ ୮ଟି ରାଜ୍ୟର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଇପ ପାଣି ଯୋଗାଇବାର ଲକ୍ଷ୍ୟ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ‌ରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଫେବ୍ରୁଆରି ୧୫ ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ୮୩.୦୬ ଲକ୍ଷ ପରିବାରରୁ ୧୫.୨୯ ଲକ୍ଷ ଅର୍ଥାତ୍ ୧୮.୨୧ ପ୍ରତିଶତ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି। ଓଡ଼ିଶାରେ ୫୩୩ଟି ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରାଯାଇଛି। ଓଡିଶାର ୨୫ଟି ଜିଲ୍ଲାରେ ସମୁଦାୟ ୩୪୯୫ ଜଣ ଫ୍ଲୋରାଇଡ୍, ଆଇରନ୍, ସାଲିନିଟି ତଥା ନାଇଟ୍ରେଟ୍ ଜନିତ ସମସ୍ୟାରେ ପ୍ରଭାବିତ ହୋଇଥିବାର ରିପୋର୍ଟରେ କୁହାଯାଇଛି। ଗ୍ରାମୀଣ ଇଲାକାରେ ପ୍ରଦୂଷିତ ଜଳ ସମସ୍ୟାକୁ ଦୃଷ୍ଟିରେ ରଖାଯାଇ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଓଡିଶାରେ ୪୯ଟି ଗୋଷ୍ଠୀ ଜଳ ଶୋଧନ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି। ୭୭ଟି ପିଇବା ପାଣି ଗୁଣବତ୍ତା ପରୀକ୍ଷା ପ୍ରୟୋଗଶାଳ ରାଜ୍ୟ, ଜିଲ୍ଲା ଓ ସବ୍‌ଡିଭିଜନ୍‌ ସ୍ତରରେ ଥିବାରେ ରିପୋର୍ଟରେ ଉଲ୍ଲେଖ ଅଛି। ଗ୍ରାମ ପଞ୍ଚାୟତ ସ୍ତରରେ ଜଳର ଗୁଣବତ୍ତାକୁ ଯାଞ୍ଚ ଓ ତଦାରଖ ପାଇଁ ୧୨,୬୦୭ ମହିଳାଙ୍କୁ ପ୍ରଶିକ୍ଷଣ କରାଯାଇଥିବାର ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ୩୫୭.୧୬ କୋଟି ଟଙ୍କା ବ୍ୟୟରେ ୬୪୧ଟି ଗୋଷ୍ଠି ପରିମଳ ପରିସର ଫେବୃୟାରୀ ୧୫,୨୦୨୧ ସୁଦ୍ଧା ସ୍ଥାପନ କରାଯାଇଥିବାର ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟରେ ଗତ ତିନି ବର୍ଷରେ ଓଡିଶାର ୧୫୪ଟି ଗ୍ରାମ ପଞ୍ଚାୟତରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଥିବାର ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର