ମୁମ୍ବାଇ: ସ୍ବାମୀ ବିକାଶ ଓବେରୟଙ୍କ ସହିତ ଇଟାଲି ବୁଲିଯାଇଥିବା ଶାହାରୁଖ୍‌ ଖାଁଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ସ୍ବଦେଶ’ର ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ସାର୍ଡିନାରେ କାର୍‌ ଚଳାଇ ଯାଉଥିବା ବେଳେ ଗାୟତ୍ରୀ ଓ ତାଙ୍କ ସ୍ବାମୀ ଯାତ୍ରା କରୁଥିବା କାର୍‌ଟି ଅନ୍ୟ କେତୋଟି କାର୍‌ ଉପରେ ଧକ୍କା ଖାଇବା ପରେ ଗୋଟାଏ ‘କ୍ୟାମ୍ପର୍‌’ ଭ୍ୟାନ୍‌ ସହିତ ଧକ୍କା ଖାଇଥିଲା। ଯୋଗକୁ ଗାୟତ୍ରୀ ଓ ବିକାଶ ଏହି ଦୁର୍ଘଟଣାରେ ତିଳେ ମାତ୍ର ଆଘାତ ନ ପାଇ ବର୍ତ୍ତିଯାଇଛନ୍ତି ବୋଲି ବିକାଶଙ୍କ ମ୍ୟାନେଜର୍‌ କହିଛନ୍ତି।

publive-image Image Courtesy of NDTV

ତେଉଲାଦାରୁ ଅଲ୍‌ବିୟ ଅଭିମୁଖେ ବାହାରି ଥିବା ବିଳାସମୟ କାର୍‌ ପରେଡ୍‌ ‘ସାର୍ଡିନିଆ ସୁପର୍‌କାର୍‌ ଟୁର୍‌’ରେ ଏହି ଦୁର୍ଘଟଣା ଘଟିଛି। ସଂଗୃହୀତ ସୂଚନା ଅନୁସାରେ, ଗାୟତ୍ରୀ ଓ ତାଙ୍କ ସ୍ବାମୀ ଚଳାଉଥିବା ସେମାନଙ୍କର ‘ଲାମ୍ବର୍‌ଗିନି’ କାର୍‌ ଗୋଟାଏ ‘ଫେରାରି’ ଓ ‘କ୍ୟାମ୍ପର୍‌ ଭ୍ୟାନ୍‌’ ସହିତ ଧକ୍କା ଖାଇଥିଲା।

publive-image Image Courtesy of Zee News

ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୁର୍ଘଟଣା ‌ପରେ ‘ଫେରାରି’ କାର୍‌ରେ ନିଆଁ ଲାଗିଯାଇଥିଲା। ସେଥିରେ ଯାତ୍ରା କରୁଥିବା ୬୩ ବର୍ଷୀୟ ମେଲିସା କ୍ରେତୁଲି ଓ ୬୭ ବର୍ଷିୟ ମାର୍କସ୍‌ କ୍ରେତୁଲିଙ୍କର ମୃତ୍ୟୁ ଘଟିଛି। ସେ ଦମ୍ପତି ସ୍ବିଜର୍‌ଲାଣ୍ଡ୍‌ରୁ ଆସିଥିଲେ। ଗାୟତ୍ରୀ ଓ ବିକାଶଙ୍କ ’ଲାମ୍ବର୍‌ଗିନି’ ଓ ସୁଇଜର୍‌ଲାଣ୍ଡ୍‌ ଦମ୍ପତିଙ୍କ ‘ଫେରାରି’ କାର୍‌ ଏକ ସମୟରେ ଉକ୍ତ ‘କ୍ୟାମ୍ପର୍‌ ଭ୍ୟାନ୍‌’କୁ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣା ଘଟିଲା। ଫଳରେ ‘ଫେରାରି’ କାର୍‌ରେ ନିଆଁ ଲାଗିଗଲା ଓ ‘କ୍ୟାମ୍ପର୍‌ ଭ୍ୟାନ୍‌’ ଓଲଟି ପଡ଼ିଲା।

ଦୁର୍ଘଟଣା ସଂକ୍ରାନ୍ତରେ ସୁନିଶ୍ଚିତ କରି ଗାୟତ୍ରୀ ‘ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’କୁ ସୂଚନା ଦେଇଛନ୍ତି ଯେ, ଭୟାବହ ଦୁର୍ଘଟଣାରୁ ସେ ଓ ତାଙ୍କ ସ୍ବାମୀ ରକ୍ଷା ପାଇଯାଇଛନ୍ତି। ସେ କହିଛନ୍ତି, ବିକାଶ ଓ ମୁଁ ଇଟାଲିରେ ଅଛୁ। ଏଠାରେ ଆମ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଈଶ୍ବରଙ୍କ କୃପାରୁ ଆମେ ଦୁହେଁ ବର୍ତ୍ତି ଯାଇଛୁ।

ଏହି ଦୁର୍ଘଟଣା ସମୟର ଭିଡିଓ ସମ୍ପ୍ରତି ଇଣ୍ଟର୍‌ନେଟ୍‌ରେ ବହୁଳ ପ୍ରସାରିତ ହେଉଛି।