ସାଧ୍ବୀ ପ୍ରଜ୍ଞା, ଅନ୍ୟ ଅଭିଯୁକ୍ତଙ୍କୁ ସମନ୍‌ କଲେ ଏନ୍‌ଆଇଏ କୋର୍ଟ

ମାଲେଗାଓଁ ବିସ୍ଫୋରଣ ମାମଲା

ନୂଆଦିଲ୍ଲୀ: ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ସମସ୍ତ ୭ ଅଭିଯୁକ୍ତଙ୍କୁ ପ୍ରତି ସପ୍ତାହରେ ଥରେ କୋର୍ଟରେ ହାଜର ହେବାପାଇଁ ଆଜି ମୁମ୍ବାଇର ଏକ ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା କେହି ଉପସ୍ଥିତ ନଥିବାରୁ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସମସ୍ତଙ୍କୁ ଏହି ମାମଲାରେ ବିଚାର ସରିବା ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଥରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଛି। ଉଲ୍ଲେଖଯୋଗ୍ୟ ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ହୋଇଥିବା ମାଲେଗାଓଁ ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮୦ରୁ ଅଧିକ ଆହତ ହୋଇଥିଲେ। ମହାରାଷ୍ଟ୍ର ଏଟିଏସ୍‌ ଦ୍ବାରା ଏହି ମାମଲାରେ ୨୦୧୧ରେ ୧୨ରୁ ଅଧିକ ଗିରଫ ହୋଇଥିଲେ। ତେବେ ପରେ ଏହି ମାମଲାଟିକୁ ଏନ୍‌ଆଇଏକୁ ହସ୍ତାନ୍ତର କରାଗଲା। ମାମଲାରେ ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧ‌ରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର