ନୂଆଦିଲ୍ଲୀ: ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଉପରେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ମନ୍ତବ୍ୟ ପରେ, ସନ୍ଥମାନଙ୍କ ମଧ୍ୟରେ ଏକ ନୂତନ ବିତର୍କ ଆରମ୍ଭ ହୋଇଛି। ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ସମଗ୍ର ବିବାଦ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପ୍ରେମାନନ୍ଦଜୀ ସାରା ଦିନ ସଂସ୍କୃତରେ ଈଶ୍ୱରଙ୍କ ନାମ ଉଚ୍ଚାରଣ କରୁଛନ୍ତି। ମୋତେ ଲାଗୁଛି ଆପଣଙ୍କୁ ଶୁଭୁନାହିଁ ବୋଧେ।

Advertisment

ରାମଭଦ୍ରାଚାର୍ଯ୍ୟ କହିଥିଲେ ଯେ, "ମୁଁ ପ୍ରେମାନନ୍ଦଙ୍କୁ ଏକ ଚମତ୍କାର ବୋଲି ମାନେନାହିଁ। ସେ ମୋ ସମ୍ମୁଖରେ ସଂସ୍କୃତର ଗୋଟିଏ ଶବ୍ଦ କିମ୍ବା ସଂସ୍କୃତ ଶ୍ଲୋକର ଅର୍ଥ ବୁଝାଇ ଦେଖାନ୍ତୁ ତ। ସେ ମୋ ପିଲା ପରି। ଯଦି କେହି ଶାସ୍ତ୍ର ଜାଣନ୍ତି ତେବେ ତାଙ୍କୁ ଚମତ୍କାରୀ କୁହାଯାଇପାରିବ। କିନ୍ତୁ ପ୍ରେମାନନ୍ଦ ଚମତ୍କାରୀ ନୁହନ୍ତି। ଚମତ୍କାରୀ ତାକୁ କୁହାଯାଏ ଯିଏ ଶାସ୍ତ୍ର ଉପରେ ଚର୍ଚ୍ଚା କରେ।"

ତାଙ୍କର ଏହି ବୟାନ ଉପ‌ରେ ପ୍ରତିକ୍ରିୟା ଦେଇ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି, "ବୃନ୍ଦାବନରେ ହଳଦିଆ ପୋଷାକ ପିନ୍ଧା ଜଣେ ମହାତ୍ମାଜୀ ଅଛନ୍ତି, ଯାହାଙ୍କ ନାମ ପ୍ରେମାନନ୍ଦଜୀ। ରାମଭଦ୍ରାଚାର୍ଯ୍ୟ କହୁଛନ୍ତି ଯେ, ସେ ସଂସ୍କୃତର ଗୋଟିଏ ଶବ୍ଦ ମଧ୍ୟ ଜାଣନ୍ତି ନାହିଁ। ତାଙ୍କୁ ସଂସ୍କୃତ ଜାଣିବାର କ'ଣ ଆବଶ୍ୟକତା ଅଛି? ସେ ଈଶ୍ୱରଙ୍କ ନାମ ପ୍ରଚାର କରୁଛନ୍ତି। ଈଶ୍ୱରଙ୍କ ନାମ ମଧ୍ୟ ସଂସ୍କୃତରେ ଅଛି। ଯଦି ସେ ନାମ ଜପ କରୁଛନ୍ତି, ତା’ମାନେ ସେ ସଂସ୍କୃତ ଜାଣିଛନ୍ତି। ମୋତେ କୁହନ୍ତୁ ରାଧେ-ରାଧେ, କୃଷ୍ଣ-କୃଷ୍ଣ, ଗୋବିନ୍ଦ-ଗୋବିନ୍ଦ, ଗୋପାଳ-ଗୋପାଳ କେଉଁ ଭାଷା? ପ୍ରେମାନନ୍ଦଜୀ ଦିନ ରାତି ଏହି ନାମ ଜପ କରିବାକୁ ଲୋକଙ୍କୁ ଅନୁପ୍ରାଣିତ କରୁଛନ୍ତି। ଏହା କ’ଣ ସଂସ୍କୃତ ଭାଷା ନୁହେଁ କି? ଯେଉଁ ବ୍ୟକ୍ତି ଦିନରାତି ଈଶ୍ବରଙ୍କ ନାମ ଜପ କରୁଛି, ସେ ସଂସ୍କୃତ ଭାଷା ହିଁ ତ କହୁଛି। ରାମଭଦ୍ରାଚାର୍ଯ୍ୟଜୀଙ୍କୁ ଦେଖା ତ ଯାଉନଥିଲା, ଲାଗୁଛି ଏବେ ଶୁଭୁନାହିଁ ମଧ୍ୟ।"

ଅଭିମୁକ୍ତେଶ୍ୱରାନନ୍ଦଙ୍କ ଏହି ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।