ସ୍ବାମୀ ଚିନ୍ମୟାନନ୍ଦ ମାମଲା: ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଇନ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ଏସ୍‌ଆଇଟି ଆହ୍ଲାବାଦ୍‌ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରି‌ବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୀଡ଼ିତାଙ୍କ ବାପା ମା’ଙ୍କୁ ପୁଲିସ ସୁରକ୍ଷା ମିଳିଛି। ତେବେ ପୀଡ଼ିତା ଛାତ୍ରୀ ଏବଂ ତାଙ୍କ ଭାଇ ସେହି ସମାନ ଶିକ୍ଷାନୁଷ୍ଠାନରେ ପଢ଼ା ବଜାୟ ରଖିବେ କି ନାହିଁ ସେ ନେଇ ବିଚାରବିମର୍ଶ ଜାରି ରହିଛି। ୬ ଦିନ ଧରି ନିଖୋଜ ଥିବା ପୀଡ଼ିତା ଛାତ୍ରୀଙ୍କୁ ଗତ ଶୁକ୍ରବାର ଦିନ ରାଜସ୍ଥାନରେ ଠାବ କରାଯିବା ପରେ ତାଙ୍କୁ ସୁପ୍ରିମକୋର୍ଟରେ ହାଜର କରାଯାଇଥିଲା। ଛାତ୍ରୀ ଜଣଙ୍କ ସୁପ୍ରିମ‌କୋର୍ଟ ବିଚାରପତିଙ୍କୁ କହିଥିଲେ ଯେ ସେ ନିଜକୁ ସୁରକ୍ଷା ଦେବାପାଇଁ ତାଙ୍କ ୩ ବନ୍ଧୁଙ୍କ ସହ ରାଜସ୍ଥାନ ଚାଲି ଯାଇଥିଲେ। ଜଷ୍ଟିସ୍‌ ଆର ଭାନୁମତି ଏବଂ ଏଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାରେ ଶୁଣାଣି କରୁଛନ୍ତି।

ଉଲ୍ଲେଖ‌ଯୋଗ୍ୟ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଜଣଙ୍କ ଗତ ଅଗଷ୍ଟ ୨୪ ତାରିଖରେ ନିଖୋଜ ହୋଇଯିବା ପରେ ତାଙ୍କ ବାପା ମା’ ପୁଲିସରେ ଅଭିଯୋଗ କରିଥିଲେ। ଝିଅ ନିଖୋଜ ହେବା ପଛରେ ଚିନ୍ମୟାନନ୍ଦଙ୍କ ହାତ ଅଛି ବୋଲି ସେ ଅଭିଯୋଗ କରିଥିଲେ। ତେବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଶୁଣାଣି ଆରମ୍ଭ କରନ୍ତୁ ବୋଲି ସୁପ୍ରିମକୋର୍ଟର କିଛି ଆଇନଜୀବୀ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କୁ ଅନୁରୋଧ କରି ଆବେଦନ କରିବାପରେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିଥିଲେ।

ସମ୍ବନ୍ଧିତ ଖବର