ଅହମଦାବାଦ୍‌ : ସ୍ବାମୀ ନିତ୍ୟାନନ୍ଦଙ୍କ ଆଶ୍ରମରେ ନାବାଳିକାଙ୍କୁ ବେଆଇନ ଅଟକ ରଖିବା ମାମଲାରେ ଅହମ୍ମଦାବାଦ୍‌ ପୁଲିସ ଆଶ୍ରମର ୨ ଜଣ ମ୍ୟାନେଜରଙ୍କୁ ଗିରଫ କରି ତଦନ୍ତ କରୁଛି। କିନ୍ତୁ ଅହମଦାବାଦ୍‌ ପୁଲିସ ପାଇଁ ବାଧକ ସାଜିଛି ଗିରଫ ୨ ମ୍ୟାନେଜରଙ୍କ ଇଂରାଜୀ ଭାଷା। ଆଶ୍ରମରୁ ଗିରଫ ହୋଇଥିବା ୨ ଜଣ ମ୍ୟାନେଜର ତଥା ଯୋଗିନୀ କେବଳ ଇଂରାଜି କହୁଛନ୍ତି। ଏହି ୨ ଜଣ ଯୋଗିନୀ ହେଉଛନ୍ତି ହରିଣୀ ଚେଲ୍ଲାପ୍ପନ୍‌ ଓରଫ୍‌ ମା ନିତ୍ୟା ପ୍ରାଣପ୍ରିୟା ନନ୍ଦା (୩୦) ଏବଂ ରିଦ୍ଧି ରବିକିରଣ ଓରଫ୍‌ ନିତ୍ୟା ପ୍ରିୟତତ୍ତ୍ବ ନନ୍ଦା (୨୪) । ଏହି ୨ ଯୋଗିନୀଙ୍କୁ ଗତ ୨୦ ତାରିଖରେ ଗିରଫ କରାଯାଇଥିଲା। ଅହମ୍ମଦାବାଦ୍‌ର ହିରାପୁର ସ୍ଥିତ ନିତ୍ୟାନନ୍ଦଙ୍କ ଆଶ୍ରମରେ ଏହି ୨ ଜଣ ଯୋଗିନୀ ପ୍ରଶାସକ ଥିଲେ। ପୁଲିସ ଏହି ୨ ଜଣ ଯୋଗିନୀଙ୍କୁ ୫ ଦିନିଆ ରିମା‌ଣ୍ଡ୍‌ରେ ନେଇଥିଲା ଏବଂ ସେମାନଙ୍କୁ ଜେରା କରିଥିଲା। କିନ୍ତୁ ମାମଲାରେ କୌଣସି ଅଗ୍ରଗତି ହୋଇପାରୁନି। କାରଣ ପୁଲିସ ପାଇଁ ଇଂରାଜୀ ଭାଷା ବାଧକ ସାଜିଛି। ଗତକାଲି ଜଣେ ମହିଳା ପୁଲିସଙ୍କ ସମେତ ସମୁଦାୟ ୪ ଜଣ ପୁଲିସ ଅଧିକାରୀ ଏହି ୨ ଜଣ ଯୋଗିନୀଙ୍କୁ ପଚରାଉଚୁରା କରିଥିଲେ। କିନ୍ତୁ ଯୋଗିନୀ ‌ଯେତେ ପ୍ରଶ୍ନର ଉତ୍ତର ଦେଉଥିଲେ ପୁଲିସର ‌ସେତେ ଅଧିକ ଦ୍ବନ୍ଦ୍ବ ବଢ଼ୁଥିଲା। ତଦନ୍ତ ଦାୟିତ୍ବରେ ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି, ଗିରଫ ‌ହୋଇଥିବା ୨ ଜଣ ଯୋଗିନୀ କେବଳ ଇଂରାଜୀରେ କଥା ହେଉଛନ୍ତି। ତେବେ କୁହାଯାଉଛି ଯେ ତଦନ୍ତପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଏହି ୨ ଯୋଗିନୀ ବୋଧହୁଏ କେବଳ ଇଂରାଜୀରେ କଥା ହେଉଛନ୍ତି। ଏହି ଯୋଗିନୀ ଦୁଇଜଣ ନାବାଳିକା ଦ୍ବୟଙ୍କୁ ଆଶ୍ରମରେ ଖଟାଉଥିଲେ ଏବଂ ପାଣ୍ଠି ଆଦାୟ କାମରେ ଲଗାଉଥିଲେ।

Advertisment