ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦଙ୍କ ପତ୍ତା ମିଳୁନି। ସେ ବୋଧ ହୁଏ ଦେଶ ଛାଡ଼ି ପଳାଇଛନ୍ତି। ଦେଶର ସୁରକ୍ଷାବାହିନୀ ଆଖିରେ ଧୂଳି ଦେଇ ନିତ୍ୟାନନ୍ଦ ଚମ୍ପଟ ମାରିଛନ୍ତି। କର୍ଣ୍ଣାଟକରେ ଏକ ଦୁଷ୍କର୍ମ ମାମଲା ଏବଂ ଗୁଜରାଟରେ ଅପହରଣ ଓ ନିର୍ଯାତନା ମାମଲାରେ ନିତ୍ୟାନନ୍ଦଙ୍କ ବିରୋଧରେ ତଦନ୍ତ ଚାଲିଛି। ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ନିତ୍ୟାନନ୍ଦଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକରେ ସେ ପ୍ରାୟ ୪୦ରୁ ଅଧିକ ଶୁଣାଣିରେ କୋର୍ଟରେ ହାଜର ହୋଇନାହାନ୍ତି। ସୂତ୍ର ଅନୁଯାୟୀ ନିତ୍ୟାନନ୍ଦ ନେପାଳ ଦେଇ ଇକ୍ବେଡର ପଳାଇଛନ୍ତି ବୋଲି ସନ୍ଦେହ କରାଯାଉଛି। କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନିତ୍ୟାନନ୍ଦଙ୍କ ପାସପୋର୍ଟର ଅବଧି ଶେଷ ହୋଇଯାଇଛି। ଗତ ସେପ୍ଟେମ୍ବର ୩୦, ୨୦୧୮ରୁ ନିତ୍ୟାନନ୍ଦଙ୍କ ପାସପୋର୍ଟର ସମୟ ସୀମା ସମାପ୍ତ ହୋଇଛି। ସେ ତାଙ୍କ ପାସପୋର୍ଟ ମଧ୍ୟ ନବୀକରଣ କରିନାହାନ୍ତି। କର୍ଣ୍ଣାଟକ , ରାମନଗରର ପୂର୍ବତନ ଏସ୍ପିଙ୍କ ଦ୍ବାରା ଏହା ସ୍ପଷ୍ଟ କରାଯାଇଛି। ପୂର୍ବତନ ରାମନଗର ଏସ୍ପି କହିଛନ୍ତି ସେ ଏସ୍ପି ଥିବା ସମୟରେ ନିତ୍ୟାନନ୍ଦଙ୍କ ପାସପୋର୍ଟ ନବୀକରଣ କରିବା ପ୍ରକ୍ରିୟାକୁ ବାତିଲ କରିଥିଲେ। ସାଧାରଣତଃ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ମାମଲା ଥାଏ ସେମାନଙ୍କ ପାସପୋର୍ଟ ନବୀକରଣ ହେବାକୁ ଦିଆଯାଇ ନଥାଏ ବୋଲି ରାମନଗର ଏସ୍ପି କହିଛନ୍ତି। ତେବେ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନିତ୍ୟାନନ୍ଦ ଦେଶ ଛାଡ଼ି ପଳାଇଥିବା ସଂକ୍ରାନ୍ତରେ କିଛି ବିଧିବଦ୍ଧ ସୂଚନା ନାହିଁ।
ଉଲ୍ଲେଖଯୋଗ୍ୟ ଅହମଦାବାଦ୍ ଗ୍ରାମୀଣ ଏସ୍ପି ଆର.ଭି. ଅସାରି ମଧ୍ୟ କହିଛନ୍ତି କର୍ଣ୍ଣାଟକରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବାପରେ ସେ ଦେଶ ଛାଡ଼ି ପଳାଇଛନ୍ତି। ତେଣୁ ତାଙ୍କୁ ଗୁଜରାଟରେ ଖୋଜିବା ନିରର୍ଥକ। ଯଦି ଦରକାର ପଡ଼େ ନିତ୍ୟାନନ୍ଦଙ୍କୁ ଖୋଜି ବାହାର କରିବା ପାଇଁ ଉପଯୁକ୍ତ ସଂସ୍ଥାର ସହଯୋଗ ନିଆଯିବ ବୋଲି ଅସାରି କହିଥିଲେ। ଗୁଜରାଟ ଗୃହମନ୍ତ୍ରୀ ପ୍ରଦୀପସିଂହ ଜାଡ଼େଜା କହିଛନ୍ତି, ମାମଲାରେ ସମ୍ପୃକ୍ତ କୌଣସି ବ୍ୟକ୍ତି ବି ଛାଡ଼ ପାଇବେନି। ଉଲ୍ଲେଖଯୋଗ୍ୟ ନାବାଳିକାଙ୍କୁ ଅପହରଣ ସହ ନିତ୍ୟାନନ୍ଦଙ୍କ ଆଶ୍ରମରେ ବେଆଇନ ଅଟକ ରଖିଥିବା ମାମଲାରେ ତାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଛି। ନିକଟରେ ନିତ୍ୟାନନ୍ଦଙ୍କ ଆଶ୍ରମରୁ ୨ ଜଣ ମହିଳା ମ୍ୟାନେଜରଙ୍କୁ ପୁଲିସ ଗିରଫ କରି ସେମାନଙ୍କୁ ଜେରା କରୁଛି।