କୈଳାସକୁ ‘ହିନ୍ଦୁ ରାଷ୍ଟ୍ର’ ଘୋଷଣା କଲେ ସ୍ବାମୀ ନିତ୍ୟାନନ୍ଦ

ନୂଆଦିଲ୍ଲୀ : ଆତ୍ମଘୋଷିତ ପଳାତକ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦ ଏବେ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପ୍ରୟାସରେ ଅଛନ୍ତି। ତାଙ୍କ ବିରୋଧରେ ଅହମଦାବାଦ୍‌ରେ ଅପହରଣ ଏବଂ ଦୁଷ୍କର୍ମ ମାମଲା ରହିଛି। ଆଶ୍ରମ‌ରେ ନାବାଳିକାଙ୍କୁ ବଳପୂର୍ବକ ଅଟକ ରଖି ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ବିଭିନ୍ନ ଅଭିଯୋଗରେ ନିତ୍ୟାନନ୍ଦଙ୍କୁ ପୁଲିସ ଖୋଜୁଥିବା ବେଳେ ସେ ଦେଶ ଛାଡ଼ି ପଳାଇ ଯିବାକୁ ହୋଇଛନ୍ତି। ନିତ୍ୟାନନ୍ଦ ଏବେ ‘କୈଳାସ’ରେ ବାସ କରୁଥିବା ଜଣାପଡ଼ିଛି। ତେବେ ଏହା ହିମାଳୟର କୈଳାସ ନୁହେଁ। ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଇକ୍ବେଡରରେ କିଣିଥିବା ଏକ ଦ୍ବୀପକୁ ‘କୈଳାସ’ ନାମରେ ନାମିତ କରିଛନ୍ତି। ଏହି ଦ୍ବୀପକୁ ସେ ସ୍ବତନ୍ତ୍ର ‘ହିନ୍ଦୁ ରାଷ୍ଟ୍ର’ ବୋଲି ଘୋଷଣା କରିଛନ୍ତି ଏବଂ ଜାତିସଂଘର ମାନ୍ୟତା ହାସଲ ପାଇଁ ମଧ୍ୟ ଜୋର୍‌ଦାର୍‌ ପ୍ରୟାସ ଚଳାଇଛନ୍ତି। କୈଳାସକୁ ବିଶ୍ବର ସବୁଠୁ ପବିତ୍ର ହିନ୍ଦୁ ରାଷ୍ଟ୍ର ବୋଲି ସ୍ବାମୀ ନିତ୍ୟାନନ୍ଦ ଘୋଷଣା କରିଛନ୍ତି। ନିତ୍ୟାନନ୍ଦଙ୍କର ଅନେକ ଧନୀ ଏବଂ କ୍ଷମତାଶାଳୀ ଅନୁଗାମୀ ଅଛନ୍ତି। ଏହି ପ୍ରଭାବଶାଳୀ ଭକ୍ତଙ୍କ ଦ୍ବାରା ଇକ୍ବେଡର ସରକାରଙ୍କଠାରୁ ଏହି ଦ୍ବୀପ କିଣିବାପରେ ନିତ୍ୟାନନ୍ଦ ସକ୍ଷମ ହୋଇଥିଲେ। ‘ରିପବ୍ଲିକ୍‌ ଅଫ୍‌ କୈଳାସ’ ପାଇଁ ଏବେ ପ୍ରଧାନମନ୍ତ୍ରୀ, ମୁଖ୍ୟ ପ୍ରଶାସକ, ସୁରକ୍ଷା ବାହିନୀ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ସରିଛି। କେବଳ ନିତ୍ୟାନନ୍ଦଙ୍କ ଭକ୍ତମାନଙ୍କୁ ଏବେ ଏଠାକୁ ଯିବାପାଇଁ ଅନୁମତି ମିଳୁଛି। ରିପୋର୍ଟ ଅନୁଯାୟୀ ‘ମା’ ନାମକ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ନିତ୍ୟାନନ୍ଦ ପ୍ରଧାନମନ୍ତ୍ରୀ କରିଛନ୍ତି ଏବଂ କୈଳାସରେ କ୍ୟାବିନେଟ୍‌ ଗଠନ ପ୍ରକ୍ରିୟା ଜାରି ରହିଛି। ‘ରିପବ୍ଲିକ୍‌ ଅଫ୍‌ କୈଳାସ’ର ଏକ ସ୍ବତନ୍ତ୍ର ୱେବ୍‌ସାଇଟ୍‌ରେ ନିତ୍ୟାନନ୍ଦ ଏହି ତଥ୍ୟ ପ୍ରଦାନ କରିଛନ୍ତି।

‘କୈଳାସ’‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଏବେ ନିଯୁକ୍ତି ପ୍ରକ୍ରିୟ ଚାଲିଛି ଏବଂ ନିକଟରେ ଏହାର ଜାତୀୟ ପତାକା ମଧ୍ୟ ଉନ୍ମୋଚିତ ହୋଇଛି। ଏହାକୁ ‘ରିଶବ ଧ୍ବଜ’ କୁହାଯାଉଛି। ଏଥିରେ ସ୍ବାମୀ ନିତ୍ୟାନନ୍ଦଙ୍କ ଫଟୋ ସହ ପ୍ରଭୁ ଶିବଙ୍କ ବାହନ ନନ୍ଦି ରହିଛି। ସ୍ବାମୀ ନିତ୍ୟାନନ୍ଦଙ୍କ ହିନ୍ଦୁ ରାଷ୍ଟ୍ରରେ ଏକ ସମ୍ବିଧାନ ମଧ୍ୟ ଅଛି। ଏଠାରେ ୩ଟି ସରକାରୀ ଭାଷା ରହିଛି ଏବଂ ସେଗୁଡ଼ିକ ହେଉଛି ଇଂରାଜି, ସଂସ୍କୃତ ଏବଂ ତାମିଲ। କୈଳାସରେ ଏକ ହିନ୍ଦୁ ରିଜର୍ଭ ବ୍ୟାଙ୍କ୍‌ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଏହାଦ୍ବାରା ନିତ୍ୟାନନ୍ଦଙ୍କ ବିଭିନ୍ନ ଅନୁଷ୍ଠାନର ପାଣ୍ଠି ନେଣଦେଣ କରାଯିବ। ଦେଶର ଏକ ୱେବସାଇଟ୍‌ ମଧ୍ୟ ରହିଛି। ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଅକ୍ଟୋବର ୨୧, ୨୦୧୮ରେ ଏହି ୱେବସାଇଟ୍‌ ସୃଷ୍ଟି କରାଯାଇଥିଲା ଏବଂ ଅକ୍ଟୋବର ୧୦, ୨୦୧୯ରେ ଏହାକୁ ଶେଷ ଥର ପାଇଁ ଅପ‌ଡେଟ୍‌ କରାଯାଇଥିଲା। କୈଳାସର ନାଗରିକମାନଙ୍କୁ ପାସପୋର୍ଟ ଦିଆଯିବାକୁ ମଧ୍ୟ ଯୋଜନା ହେଉଛି।

ସ୍ବାମୀ ନିତ୍ୟନନ୍ଦ ନେପାଳ ଦେଇ ଇକ୍ବେଡର ପଳାଇଥିବା କୁହାଯାଉଛି। ତାଙ୍କ ନାମରେ ଏକାଧିକ ଦୁଷ୍କର୍ମ ଓ ଠକେଇ ମାମଲା ରହିଛି। ଗତ ନଭେମ୍ବରରେ ଗୁଜରାଟ ପୁଲିସ ନିତ୍ୟାନନ୍ଦଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ଏବଂ ସେମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଧାରା ଅଧୀନରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର