ଲକ୍ଷ୍ନୌ : ଚଳିତ ସପ୍ତାହରେ ଯୋଗୀ ସରକାରରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧରମ ସିଂହ ସାଇନି ଶୁକ୍ରବାର ଆନୁଷ୍ଠାନିକ ଭାବେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଲକ୍ଷ୍ନୌ ସ୍ଥିତ ସପା ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳେଶଙ୍କ ଉପସ୍ଥିତିରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଧରମ ସିଂହ ସାଇନି ଏବଂ ବିଜେପି ଛାଡ଼ିଥିବା ଅନ୍ୟ ୫ ନେତା ରୋଶନଲାଲ ବର୍ମା, ବ୍ରୀଜେଶ ପ୍ରଜାପତି, ମୁକେଶ ବର୍ମା, ବିନୟ ଶାକ୍ୟ, ଭଗବତୀ ସାଗର ଓ ଆପ୍ନା ଦଳର ଚୌଧୁରୀ ଅମର ସିଂହ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଏଥିସହ ପୂର୍ବତନ ବିଏସ୍ପି ବିଧାୟକ ନିରଜ କୁଶୱାହା ମୌର୍ଯ୍ୟ, ପୂର୍ବତନ ବିଜେପି ଏମ୍ଏଲ୍ସି ହରପାଲ୍ ସାଇନି, ପୂର୍ବତନ ବିଏସ୍ପି ବିଧାୟକ ବଳରାମ ସାଇନି, ପୂର୍ବତନ ବିଜେପି ବିଧାୟକ ରାଜେନ୍ଦ୍ର ପ୍ରତାପ ସିଂହ, ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ପଦମ ସିଂହ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ବଂଶୀ ସିଂହ ପାହାଡ଼ିୟା ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି।
ସପାରେ ଯୋଗ ଦେବାପରେ ପ୍ରମୁଖ ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆଜି ବିଜେପି ଉପରେ ବର୍ଷିଛନ୍ତି। ବିଜେପି ପଛୁଆ ବର୍ଗଙ୍କ ପ୍ରତି ଅବହେଳା କରିଛି ବୋଲି ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅଭିଯୋଗ କରିଛନ୍ତି। ଉତ୍ତରପ୍ରଦେଶରେ ବିଜେପିର ଅବଗଣନା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ବିଜେପି ଦେଶ ଏବଂ ରାଜ୍ୟର ଲୋକମାନଙ୍କୁ ଭୁଲ୍ ବାଟରେ ନେଇ ଲୋକଙ୍କ ଆଖିରେ ଧୂଳି ପକାଇଛି ଏବଂ ସେମାନଙ୍କୁ ଶୋଷଣ କରୁଛି। ଆମକୁ ଉତ୍ତରପ୍ରଦେଶକୁ ଶୋଷଣ ମୁକ୍ତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଦାରା ସିଂହ ଚୌହାନ ଆଜି ସମାଜବାଦୀ ପାର୍ଟିରେ ଯୋଗ ଦେଇନାହାନ୍ତି। ଚୌହାନଙ୍କ ସହ ଆହୁରି ଅନେକ ବିଜେପି ବିଧାୟକ ଆସନ୍ତାକାଲି ସମାଜବାଦୀ ପାର୍ଟିରେ ଯୋଗ ଦେବେ। ଅଖିଳେଶ ଯାଦବ ଦଳକୁ ମୌର୍ଯ୍ୟ ଏବଂ ଅନ୍ୟ ପୂର୍ବ ବିଜେପି ନେତାଙ୍କୁ ସ୍ବାଗତ କରିବା ସହ ବିଜେପିକୁ ଆକ୍ରମଣ କରିଛନ୍ତି । ଅଖିଳେଶ କହିଛନ୍ତି, ଯୋଗୀ କ୍ରିକେଟ୍ ଖେଳ ଶିଖିନଥିବାରୁ ବିଜେପିର ୱିକେଟ୍ ଗୋଟିଏ ପରେ ଗୋଟିଏ କମି ଚାଲିଛି।