ସାବରିମାଲା ବିବାଦ: ସ୍ୱାମୀ ସନ୍ଦିପାନନ୍ଦ ଗିରିଙ୍କ ଅଶ୍ରମରେ ଆକ୍ରମଣ, ଜଳିଗଲା ୩ଟି ଗାଡ଼ି

ତିରୁବନନ୍ତପୁରମ୍‌: ବିବାଦୀୟ ଆଧ୍ୟାତ୍ମିକ ନେତା ସ୍ୱାମୀ ସନ୍ଦିପାନନ୍ଦ ଗିରିଙ୍କ ଦ୍ୱାରା କୁନ୍ଦାମନାଦଭୁଠାରେ ସ୍ଥାପିତ ଶାଳଗ୍ରାମ ଆଶ୍ରମରେ ଆକ୍ରମଣ ହୋଇଛି। ଶନିବାର ପ୍ରାତଃ ସମୟରେ କିଛି ଅଜଣା ବ୍ୟକ୍ତି ଏହି ଆକ୍ରମଣ ଘଟାଇଥିବା ଜାଣିବାକୁ ମିଳିଛି।

ଆଶ୍ରମ ବାହାରେ ଦୁଇଟି କାର୍‌ ଓ ଏକ ଆକ୍ଟିଭା ସ୍କୁଟର୍‌ ପାର୍କ କରାଯାଇଥିଲା। ଆକ୍ରମଣକାରୀମାନେ ସେଥିରେ ନିଆଁ ଲଗାଇ ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଜାଳି ଦେଇଛନ୍ତି।

ସାବରିମାଲା ମନ୍ଦିରରେ ମହିଳାମାନଙ୍କୁ ମାସିକଧର୍ମ ବୟସ ମଧ୍ୟରେ ପ୍ରବେଶକୁ ସ୍ୱାମୀ ସନ୍ଦିପାନନ୍ଦ ସମର୍ଥନ କରୁଥିଲେ। ଏହି କାରଣରୁ ଆୟାପ୍ପା ଭକ୍ତ ଓ ହିନ୍ଦୁ ସଂଗଠନ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସ୍ୱାମୀ ସନ୍ଦିପାନନ୍ଦ ମହିଳାଙ୍କ ପ୍ରବେଶକୁ ସମର୍ଥନ କରି ସୋସିଆଲ୍‌ ମିଡିଆ ଓ ଟେଲିଭିଜନରେ ନିଜର ମତ ପ୍ରକାଶ କରିଥିଲେ।

ଘଟଣା ସଂପର୍କରେ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳର କର୍ମୀମାନେ କହିଛନ୍ତି କି ରାତି ପ୍ରାୟ ୨.୫୦ ସମୟରେ ତାଙ୍କୁ ସୂଚନା ମିଳିଥିଲା । ସେମାନେ ଯଥାସମ୍ଭବ ଶୀଘ୍ର ପହଞ୍ଚିବାକୁ ଚେଷ୍ଟା କରିଥିଲେ। ମାତ୍ର ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗାଡ଼ିଗୁଡ଼ିକ ସଂପୂର୍ଣ୍ଣ ଜଳି ଯାଇଥିଲା।

ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ପିନାରୟ ବିଜୟନ୍‌ ଆଶ୍ରମରେ ପହଞ୍ଚି ଏପରି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି।

ନିକଟରେ ଲୋକପ୍ରିୟ ଆଧ୍ୟାତ୍ମିକ ନେତା ତଥା ସ୍କୁଲ୍‌ ଅଫ୍‌ ଭଗବଦ୍‌ ଗୀତା ଏବଂ ଶାଳଗ୍ରାମ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‍ର ନିର୍ମାତା ଓ ନିର୍ଦ୍ଦେଶକ ସ୍ୱାମୀ ସନ୍ଦିପାନନ୍ଦ ଗିରି ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ନିଜର ଉଦାର ମତ ପୋଷଣ ପାଇଁ ବିବାଦୀୟ ହୋଇଛନ୍ତି।

ସମ୍ବନ୍ଧିତ ଖବର