ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ହିନ୍ଦୁ ସଂଗଠନ ଫିଲ୍ମର 'ବେଶରମ ରଙ୍ଗ' ଗୀତକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଥିବାବେଳେ ବିଜେପି ସାଂସଦ ପ୍ରଜ୍ଞା ଠାକୁର ମଧ୍ୟ ପଛକୁ ହଟି ନଥିଲେ। ଯେଉଁମାନେ ଅସଲ ହିନ୍ଦୁ ସେମାନେ ଏହି ଫିଲ୍ମକୁ ବଏକଟ କରିବା ଉଚିତ୍ ବୋଲି କହିଥିଲେ ପ୍ରଜ୍ଞା ଠାକୁର। ଏଭଳି କଲେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କୁ ଉଚିତ ଶିକ୍ଷା ମିଳିବ ବୋଲି ସେ କହିଥିଲେ।
ଏବେ ତାଙ୍କର ଏଭଳି ବୟାନକୁ ନେଇ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର। ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କୁ ସମର୍ଥନ କରି ସ୍ବରା ଟ୍ବିଟ କରିଛନ୍ତି ଯେ, “ଆତଙ୍କବାଦୀ ଅଭିଯୁକ୍ତ ସାଂସଦ ପ୍ରଜ୍ଞା ଠାକୁର କାହିଁକି ବେରୋଜଗାର ବୋଲି ଅନୁଭବ କରାଉଛନ୍ତି? ଭୋପାଳର ସମସ୍ତ ସମସ୍ୟାର ସମାଧାନ ହୋଇଗଲା କି? ଆପଣ ବହୁତ ଅଦ୍ଭୁତ ଲାଗୁଛନ୍ତି ମ୍ୟାଡମ।"
ଉଲ୍ଲେଖଯୋଗ୍ୟ, ପ୍ରଜ୍ଞା ଠାକୁର ଫିଲ୍ମର ନାଁ ବିଷୟରେ ଜାଣିନଥିବା ବେଳେ 'ପଠାନ'ରେ ଥିବା ଗୀତ 'ବେଶରମ ରଙ୍ଗ'କୁ ନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ଗୀତରେ ଗେରୁଆ ରଙ୍ଗକୁ ଅପମାନିତ କରାଯାଇଛି। ମୁଁ ହିନ୍ଦୁମାନଙ୍କୁ ଅନୁରୋଧ କରୁଛି ଯେ, ଯଦି ଆପଣ ପ୍ରକୃତରେ ହିନ୍ଦୁ, ତା’ହେଲେ ଏହି ଫିଲ୍ମକୁ ଦେଖିବେ ନାହିଁ। ଏହା ସହ ଫିଲ୍ମକୁ ହଲରେ ଚାଲିବାକୁ ମଧ୍ୟ ଦେବେ ନାହିଁ।