ମାନବିକତା ଆଧାରରେ ପୁଣି ଜଣେ ପ୍ରବାସୀ ଭାରତୀୟଙ୍କୁ ସହାୟତା ଯୋଗାଇ ଦେଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ମାନବିକତା ଆଧାରରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ପୁଣି ଜଣେ ପ୍ରବାସୀ ଭାରତୀୟଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀମତୀ ସ୍ୱରାଜଙ୍କ ଏପ୍ରକାର କାର୍ଯ୍ୟକୁ ଦେଶର ସବୁ ମହଲରୁ ଘୋର ପ୍ରଶଂସା କରାଯାଇଛି।

ଜାଣିବାକୁ ମିଳିଛି ଯେ ଯୁକ୍ତରାଷ୍ଟ୍ର ଆମେରିକାର ଓ୍ଵାଶିଂଟନ ଠାରେ ରହୁଥିବା ପ୍ରବାସୀ ଭରତୀୟ ଦେବତା ରବି ତେଜା, ଆସନ୍ତା ଅଗଷ୍ଟ ୧୩ ତାରଖରେ ବାହାହେବା ପାଇଁ ଭାରତ ଆସିବାକୁ ବାହାରିଥିଲେ। ହେଲେ, ବିମାନ ଟିକେଟ କଲାବେଳକୁ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପାସପୋର୍ଟଟି ବିଦେଶ ଭୂଇଁରେ କେଉଁଠାରେ ହଜି ଯାଇଛି। ନିଜର ପାସପୋର୍ଟ ହଜି ଯାଇଥିବା ଜାଣିବା ପରେ ସେ ବିଚଳିତ ହୋଇ ପଡ଼ିଥିଲେ। ଏ ପରିସ୍ଥିତିରେ କେମିତି ଭାରତ ଫେରିବେ ସେଥିପାଇଁ ତାଙ୍କୁ କିଛି ବୁଦ୍ଧିବାଟ ଦେଖା ଯାଇ ନଥିଲା।

ହେଲେ, ଏ ସଙ୍କଟଜନକ ପରିସ୍ଥିତିରେ ଧୈର୍ଯ୍ୟ ନହରାଇ ପୂରା ଘଟଣା ସଂପର୍କରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟୁଇଟ୍‌ କରି ପୂରା ଘଟଣା ସଂପର୍କରେ ଜଣାଇଥିଲେ। ପ୍ରବାସୀ ଭାରତୀୟ ତେଜାଙ୍କ ଅସୁବିଧା ସଂପର୍କରେ ଟୁଇଟରରୁ ଜାଣିବା ପରେ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ ସଙ୍ଗେ ସଙ୍ଗେ ତାଙ୍କ ଟୁଇଟର ଉତ୍ତରରେ ଲେଖିଥିଲେ:- ‘ଦେବତା ରବି ତେଜା- ତୁମେ ଗୋଟିଏ ବଡ଼ ଅସୁବିଧା ସମୟରେ ତୁମ ପାସପୋର୍ଟଟିକୁ ହଜାଇ ଦେଇଛ। ତେବେ, ତୁମେ ବ୍ୟସ୍ତ ହୁଅ ନାହିଁ। ଆମେ ତୁମକୁ ସବୁ ପ୍ରକାରର ସାହାଯ୍ୟ କରିବୁ। ତୁମେ ତୁମ ବିବାହ ପୂର୍ବରୁ ଆସି ଭାରତରେ ପହଞ୍ଚିବ।’

ଏହାପରେ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନଭତେଜ୍‌ ସାରନାଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇ ମାନବିକତା ଆଧାରରେ ଦେବତା ରବି ତେଜାଙ୍କୁ ତୁରନ୍ତ ଏକ ପାସ୍‌ପୋର୍ଟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର