ସ୍ବରାଜ କୌଶଲ୍‌ଙ୍କ ଟ୍ବିଟ୍‌, ବିଦେଶରେ ଚିକିତ୍ସା ପାଇଁ ସୁଷମା ମନା କରିଥିଲେ

ଏମ୍‌ସର ଡାକ୍ତର ଦେଶର ଗର୍ବ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ବରାଜ

ନୂଆଦିଲ୍ଲୀ: ବି‌ଦେଶରେ ଚିକିତ୍ସିତ ହେବାକୁ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ନିଜେ ମନା କରିଥିଲେ ବୋଲି ତାଙ୍କ ସ୍ବାମୀ ସ୍ବରାଜ କୌଶଲ୍‌ ଟ୍ବିଟ୍‌ କରିଛନ୍ତି। ସୁଷମାଙ୍କ ଅନେକ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇ କୌଶଲ୍‌ ଟ୍ବିଟ୍‌ କରିଛନ୍ତି। ସୁଷମା କହୁଥିଲେ, ଏମ୍‌ସର ଡାକ୍ତରମାନେ ଖୁବ୍ ଦକ୍ଷ। ସେମାନେ ଦେଶର ଗର୍ବ। ଏମ୍‌ସ ଭଳି ହସ୍ପିଟାଲ୍‌ ଥାଉ ଥାଉ ସେ ବିଦେଶରେ କାହିଁକି ଚିକିତ୍ସିତ ହେବେ ବୋଲି ସୁଷମା ଯୁକ୍ତି କରିଥିଲେ। ଚିକିତ୍ସା ପାଇଁ ବିଦେଶକୁ ଗଲେ ଦେଶର ସ୍ବା‌ସ୍ଥ୍ୟସେବା ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବ ବୋଲି ସୁଷମା କହିଥିଲେ। ନିଜ ଜୀବନକୁ ବାଜି ଲଗେଇ ସୁଷମା ନୂଆଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହୋଇଥିଲେ ବୋଲି ସ୍ବରାଜ ଟ୍ବିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, ଏମ୍‌ସରେ ସୁଷମାଙ୍କ କିଡ଼୍‌ନି ପ୍ରତିରୋପଣ କରାଯାଇଥିଲା। ଏମ୍‌ସରେ କିଡ଼୍‌ନି ପ୍ରତିରୋପଣ ସଫଳତା ହାର ନୈରାଶ୍ୟଜନକ ‌ବୋଲି କେତେକ ବନ୍ଧୁ ସେତେବେଳେ ମନ୍ତବ୍ୟ ରଖିଥିଲେ ମଧ୍ୟ ସୁଷମା ଏହାକୁ ବେଖାତିର କରି ଏମ୍‌ସରେ ଚିକିତ୍ସା ପାଇଁ ଜିଦ୍‌ ଧରିଥିଲେ। ବିଦେଶର ପ୍ରତିଷ୍ଠିତ ସର୍ଜନମାନେ ବର୍ଷକୁ ସର୍ବାଧିକ ୩୦ଟି କିଡ୍‌ନି ପ୍ରତିରୋପଣ କରୁଥିବାବେଳେ ଏମ୍‌ସର ଡାକ୍ତର ମୁକୁଟ ମିଞ୍ଜ ବର୍ଷକୁ ୩,୫୦୦, ଡାକ୍ତର ଭି.କେ. ବନ୍‌ସଲ ୧୦୦୦ ଏବଂ ଡାକ୍ତର ସନ୍ଦୀପ ଗୁଲେରିଆ ୩୦୦ କିଡ୍‌ନି ପ୍ରତିରୋପଣ କରିପାରୁଛନ୍ତି ବୋଲି ଟ୍ବିଟ୍‌ କରିଛନ୍ତି ସ୍ବରାଜ କୌଶଲ।

ସମ୍ବନ୍ଧିତ ଖବର