ଷ୍ଟକ୍‌ହୋମ୍ : ସ୍ବିଡେନ ପୁଲିସ ମୁସଲମାନମାନଙ୍କର ପବିତ୍ର ପର୍ବ ବକ୍ରିଦ ପୂର୍ବରୁ ବୁଧବାର ଷ୍ଟକ୍‌ହୋମ୍ ମସଜିଦ ବାହାରେ ଏକ କୋରାନ ପୋଡ଼ି ଆନ୍ଦୋଳନ ପାଇଁ ଅନୁମତି ଦେଇଛି। ଏହା ସ୍ବିଡେନର ନାଟୋରେ ଯୋଗ ଦେବା ଯୋଜନାରେ ବାଧା ସୃଷ୍ଟି କରିପାରେ ବୋ‌ଲି କୁହାଯାଉଛି। ଇସଲାମ ବିରୋଧରେ ତଥା କୁର୍ଦ୍ଦିଶ ଅଧିକାର ପାଇଁ ସ୍ବିଡେନରେ ଆନ୍ଦୋଳନ ଚାଲିଥିବା ବେଳେ ଏହା ତୁର୍କୀରେ ଉତ୍ତେଜନା ବୃଦ୍ଧି କରିଛି। ଏହାଦ୍ବାରା ସ୍ବିଡେନର ନାଟୋରେ ଯୋଗ ଦେବା ଯୋଜନା ଭଣ୍ଡୁର ହୋଇଯାଇପାରେ କାରଣ ଏଥିପାଇଁ ତୁର୍କୀର ସମର୍ଥନ ଆବଶ୍ୟକ।

Advertisment

କୋରାନ-ବିରୋଧୀ ପ୍ରଦର୍ଶନ ପାଇଁ ଆବେଦନକୁ ସ୍ବିଡେନ ପୁଲିସ ଏକାଧିକ ବାର ପ୍ରତ୍ୟାଖ୍ୟାନ କରିବା ପରେ ଦେଶର କୋର୍ଟଗୁଡ଼ିକ ଏଥିପାଇଁ ଅନୁମତି ଦେଇଥିଲେ। କୌଣସି ପ୍ରକାର ପ୍ରଦର୍ଶନ ପାଇଁ ବାରଣ କରିବା ବାକ୍-ସ୍ବାଧୀନତା ଅଧିକାରର ବିରୋଧୀ ବୋଲି କୋର୍ଟଗୁଡ଼ିକ କହିଥିଲେ। ଷ୍ଟକ୍‌ହୋମ୍ ମସଜିଦ ବାହାରେ ‌ପବିତ୍ର କୋରାନକୁ ଚିରିବା ଓ ପୋଡ଼ିବା ରୂପକ ବୁଧବାରର ପ୍ରଦର୍ଶନ ପାଇଁ ପୁଲିସ ଅନୁମତି ଦେବା ଅବସରରେ କହିଛି ଯେ, ଦେଶର ବିଦେଶ ନୀତି ଉପରେ ଏହାର କୁପ୍ରଭାବ ପଡ଼ିପାରେ। କିନ୍ତୁ କୋରାନ ପୋଡ଼ି କାରଣରୁ ସୁରକ୍ଷା ପ୍ରତି ଯେଉଁ ବିପଦ ବା ପରିଣାମ ଆସିପାରେ ତାହା ଏତେ ଭୟଙ୍କର ନୁହେଁ ଯେ ଯେଉଁଥିପାଇଁ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥାନ୍ତା।

ଷ୍ଟକ୍‌ହୋମ୍ ପୁଲିସର କହିବା ଅନୁସାରେ, କୋରାନ ପୋଡ଼ି ପ୍ରଦର୍ଶନରେ ମାତ୍ର ଦୁଇଜଣ ଲୋକ ଭାଗ ନେବା ଆଶା କରାଯାଉଛି। ଜଣେ ହେଉଛନ୍ତି ସଂଗଠନ ସଲୱାନ ମୋମିକା, ଯିଏ ନିକଟରେ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ସେ ହେଉଛନ୍ତି ଜଣେ ଇରାକୀ ଶରଣାର୍ଥୀ ଏବଂ କୋରାନକୁ ନିଷିଦ୍ଧ କରିବାକୁ ସେ ଦାବି କରନ୍ତି। ଗତ ଜାନୁଆରି ମାସରେ ଷ୍ଟକ୍‌ହୋମସ୍ଥିତ ତୁର୍କୀ ଦୂତାବାସ ନିକଟରେ ଜଣେ ଡେନିସ ରାଜନୈତିକ ଦଳ ହାର୍ଡ ଲାଇନ୍‌ର ନେତା ରସମସ ପାଲୁଦାନ କୋରାନ ପୋଡ଼ିଥିଲେ। ଏହାପରେ ତୁର୍କୀ ସ୍ବିଡେନର ନାଟୋ ଆବେଦନ ଉପରେ କଥାବାର୍ତ୍ତା ବନ୍ଦ କରିଦେଇଥିଲା। ସାଉଦି ଆରବ, ଜୋର୍ଡାନ ଓ କୁଏତ ସମେତ ଅନେକ ଆରବ ଦେଶ ଜାନୁଆରିର କୋରାନ ପୋଡ଼ିକୁ ନିନ୍ଦା କରିଥିଲେ।