ଷ୍ଟକହୋମ: ୟୁକ୍ରେନ୍ ତିନି ବର୍ଷ ଧରି ଚାଲିଥିବା ରୁଷୀୟ ଆକ୍ରମଣ ବିରୋଧରେ ଲଢୁଥିବା ବେଳେ ସ୍ୱିଡେନ ଓ ଫିନଲାଣ୍ଡ ସୋମବାର ନିଜ ନାଗରିକମାନଙ୍କୁ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ସୁଇଡିଶ ସିଭିଲ କଣ୍ଟିଜେନ୍ସ ଏଜେନ୍ସି (ଏମ୍‌ଏସ୍‌ବି)ର ନିର୍ଦ୍ଦେଶକ ମିକାଏଲ ଫ୍ରିସେଲ କହିଛନ୍ତି, ସୁରକ୍ଷା ସ୍ଥିତି ଗମ୍ଭୀର ଏବଂ ବିଭିନ୍ନ ସଙ୍କଟ ଓ ଯୁଦ୍ଧର ମୁକାବିଲା କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ। ଏ ନେଇ ସ୍ବିଡେନ ନିଜ ନାଗରିକମାନଙ୍କୁ ଏକ ଉପଦେଶାବଳି ଥିବା ପୁସ୍ତିକା ବାଣ୍ଟିଛି। ତେଣେ ଫିନଲାଣ୍ଡ ବି ଏକ ୱେବ୍‌ସା‌ଇଟ୍‌ ଖୋଲି ନାଗରିକମାନଙ୍କୁ ସମ୍ଭାବ୍ୟ ଯୁଦ୍ଧ ବା କଠିନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। 

Advertisment

ଶୀତଳ ଯୁଦ୍ଧ ଶେଷ ହେବା ପରେ ଅନ୍ତର୍ଜାତୀୟ ଶାନ୍ତି ରକ୍ଷା ଅଭିଯାନ ଉପରେ ଗୁରୁତ୍ୱ ଦେବା ସହିତ ସ୍ବିଡେନ ନିଜର ପ୍ରତିରକ୍ଷା ଖର୍ଚ୍ଚକୁ ବ୍ୟାପକ ଭାବରେ ହ୍ରାସ କରିଥିଲା। କିନ୍ତୁ ୨୦୧୪ରେ କ୍ରିମିଆକୁ ରୁଷ୍ ଅକ୍ତିଆର କରିବା ପରଠାରୁ ଷ୍ଟକହୋମ ପୁଣି ଥରେ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିଛି ଏବଂ ବଲ୍‌ଟିକ୍ ସାଗର ଦ୍ୱୀପ ଗୋଟଲ୍ୟାଣ୍ଡରେ ଏକ ଘାଟି ଖୋଲିଛି। ପରବର୍ତ୍ତୀ ସମୟରେ ଏହା ବୋମା ଆଶ୍ରୟସ୍ଥଳୀ ନିର୍ମାଣ ସହ ପାନୀୟ ଜଳ ଯୋଗାଣ ଓ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିଥିଲା, ବେସାମରିକ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କରିଥିଲା ଏବଂ ଭୁଲ ସୂଚନାର ମୁକାବିଲା ପାଇଁ ଏକ ସାଇକୋଲୋଜିକାଲ ଡିଫେନ୍ସ ଏଜେନ୍ସି ଗଠନ କରିଥିଲା।

ସୋମବାରଠାରୁ ବଣ୍ଟନ ଆରମ୍ଭ ହୋଇଥିବା ୩୨ ପୃଷ୍ଠାର ପୁସ୍ତିକା ‘ଇଫ୍ କ୍ରାଇସିସ୍ ଅର୍ ୱାର୍ କମ୍‌ସ’ରେ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ସାଇବର କିମ୍ବା ଆତଙ୍କବାଦୀ ଆକ୍ରମଣ ପାଇଁ କିପରି ପ୍ରସ୍ତୁତି କରାଯିବ ସେ ସମ୍ପର୍କରେ ସୂଚନା ରହିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ୫.୨ ନିୟୁତ ପରିବାରକୁ ପଠାଯାଇଥିବା ଏହି ପୁସ୍ତିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସ୍ୱିଡେନ୍ ପାଞ୍ଚ ଥର ଜାରି କରିଥିବା ପତ୍ରିକାର ଏକ ଅପଡେଟ୍ ସଂସ୍କରଣ। ବେସାମରିକ ପ୍ରତିରକ୍ଷା ମନ୍ତ୍ରୀ କାର୍ଲ-ଓସ୍କର ବୋହଲିନ୍ ଜାନୁଆରିରେ ସ୍ୱିଡେନରେ ଯୁଦ୍ଧ ହୋଇପାରେ ବୋଲି ଚେତାବନୀ ଦେଇଥିଲେ। ସ୍ୱିଡେନର ତତ୍କାଳୀନ ସେନାମୁଖ୍ୟ ମାଇକେଲ ବାଇଡେନ ମଧ୍ୟ କହିଥିଲେ ଯେ ସ୍ୱିଡେନକୁ ଯୁଦ୍ଧ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ। ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ସ୍ୱିଡେନ ଯୁଦ୍ଧକୁ ଯାଇନାହିଁ। 

ଇତିମଧ୍ୟରେ ଫିନଲ୍ୟାଣ୍ଡ ସରକାର ଏକ ୱେବ୍‌ସାଇଟ୍ ଆରମ୍ଭ କରିଛନ୍ତି, ଯେଉଁଥିରେ ବିଭିନ୍ନ ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ରହିଛି। ରୁଷ୍ ସହ ଫିନଲ୍ୟାଣ୍ଡର ୧,୩୪୦ କିଲୋମିଟର ସୀମା ରହିଛି। ୟୁକ୍ରେନ ଉପରେ ମସ୍କୋର ଆକ୍ରମଣ ପରେ ହେଲସିଙ୍କି ରୁଷ୍ ସହ ୨୦୦ କିଲୋମିଟର ସୀମା ବାଡ଼ ନିର୍ମାଣ କରିବାକୁ ଯୋଜନା ଘୋଷଣା କରିଥିଲା। ୩ ମିଟର (୧୦ ଫୁଟ) ଉଚ୍ଚତା ଓ କଣ୍ଟାତାରରେ ନିର୍ମିତ ଏହି କାମ ୨୦୨୬ ସୁଦ୍ଧା ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଗତ ବର୍ଷ ରୁଷ୍‌ରୁ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ଦେଶ ଭିତରେ ପ୍ରବେଶ କରିବା ପରେ ଏହା ରୁଷ୍ ସହିତ ଏହାର ୮ଟି ସୀମା କ୍ରସିଂ ବନ୍ଦ କରିଦେଇଥିଲା।