ସ୍ୱାଇନ୍‌ କରୋନାଭାଇରସ୍‌ ପଶୁଙ୍କଠାରୁ ଲୋକଙ୍କ ମଧ୍ୟରେ ବ୍ୟାପିପାରେ: ନୂତନ ଅଧ୍ୟୟନ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରେ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ସ୍ୱାଇନ୍‌ (ଘୁଷୁରି) କରୋନାଭାଇରସ୍‌ ପଶୁମାନଙ୍କ ଠାରୁ ଲୋକଙ୍କ ମଧ୍ୟରେ ବ୍ୟାପିପାରେ। ବୈଜ୍ଞାନିକମାନଙ୍କ ଦ୍ୱାରା କରା ଯାଇଥିବା ଏହି ନୂତନ ଅଧ୍ୟୟନ ଅନୁଯାୟୀ, କରୋନାଭାଇରସ୍‌ର ଏକ ଷ୍ଟ୍ରେନ୍‌ ଯାହା ଘୁଷୁରି ଠାରେ ଝାଡ଼ା ସୃଷ୍ଟି କରେ, ତାହା ମଧ୍ୟ ମଣିଷଙ୍କ ମଧ୍ୟରେ ବିସ୍ତାର କରିବାର ସମ୍ଭାବନା ରହିଛି।
ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ଅଧ୍ୟୟନରେ ଅନୁସନ୍ଧାନକାରୀ ବୈଜ୍ଞାନିକ ଗୋଷ୍ଠୀ କହିଛନ୍ତି ଯେ ଏହି ଭୂତାଣୁ ‘ବିଶ୍ୱ ଅର୍ଥନୀତି ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ’।

ସ୍ୱାଇନ୍‌ (ଘୁଷୁରି) କରୋନାଭାଇରସ୍‌ କ’ଣ?

ଆମେରିକାର ଚାପେଲ ହିଲରେ ଥିବା ଉତ୍ତର କାରୋଲିନା ୟୁନିଭରସିଟି (ୟୁଏନସି)ର ଅନୁସନ୍ଧାନକାରୀ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି କରୋନାଭାଇରସ୍‌ ଷ୍ଟ୍ରେନ୍‌ ସ୍ୱାଇନ୍‌ ଆକ୍ୟୁଟ୍‌ ଡାଇରିଆ ସିଣ୍ଡ୍ରୋମ କରୋନାଭାଇରସ୍‌ (ସାଡସ୍‌-କୋଭ୍‌) ଭାବରେ ମଧ୍ୟ ଜଣାଶୁଣା। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହା ବାଦୁଡ଼ିମାନଙ୍କ ଠାରୁ ଉତ୍ପନ୍ନ ହୋଇଥିଲା ଏବଂ ଏହା ୨୦୧୬ ମସିହାରେ ପ୍ରଥମେ ଆବିଷ୍କୃତ ହେବା ପରେ ସମଗ୍ର ଚୀନ୍‌ରେ ଘୁଷୁରି ପଲକୁ ସଂକ୍ରମିତ କରିଥିଲା।

ScienceToday

ଅନୁସନ୍ଧାନକାରୀ ବୈଜ୍ଞାନିକ ଗୋଷ୍ଠୀ ଲୋକଙ୍କ ଉପରେ ଏହି ଭୂତାଣୁର ସମ୍ଭାବ୍ୟ ବିପଦକୁ ଆକଳନ କରିବା ପାଇଁ ଲ୍ୟାବ ପରୀକ୍ଷା କରିଥିଲେ। ଏଥିରୁ ଜାଣିବାକୁ ମିଳିଛି ଯେ ଏହି ଭୂତାଣୁ ମାନବର ଯକୃତ ଏବଂ ଅନ୍ତଃସ୍ଥଳୀରେ ଗଭୀର କ୍ଷତି ପହଞ୍ଚାଇ ଥାଏ। ପ୍ରାଥମିକ ଅବସ୍ଥାରେ ଏହା ମାନବର ଫୁସଫୁସ ଏବଂ ଅନ୍ତନଳୀ କୋଷରେ ଦକ୍ଷ ଅଭିବୃଦ୍ଧି ଘଟାଇବା ସହ ମାନବ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଯଦିଓ ଏହା ବେଟାକୋରୋନାଭାଇରସ୍‌ ସାର୍ସ-କୋଭ୍‌-୨ ସହିତ ସମାନ ଭୂତାଣୁ ପରିବାରରେ ଅଛି, ଯାହା ମନୁଷ୍ୟଠାରେ ଶ୍ୱାସ ରୋଗ କୋଭିଡ୍‌-୧୯ ସୃଷ୍ଟି କରୁଥିବା ବେଳେ ସାଡସ୍‌- କୋଭ୍‌ ଭାବେ ଆଲଫାକୋରୋନାଭାଇରସ୍‌ ରୂପେ ଘୁଷୁରିର ପାକସ୍ଥଳୀରେ ରୋଗ ସୃଷ୍ଟି କରିଥାଏ। ଏବଂ ଏହି ଭୂତାଣୁ ଭୟଙ୍କର ଝାଡ଼ା ଏବଂ ବାନ୍ତି ସୃଷ୍ଟି କରିଥାଏ।

ସ୍ୱାଇନ୍‌ କରୋନାଭାଇରସ୍‌ ପାଇଁ ଚିକିତ୍ସା କ’ଣ?

ଗବେଷକ ଏଡୱାର୍ଡସ୍‌ ଏବଂ ତାଙ୍କ ସହକର୍ମୀମାନେ ସଂକ୍ରମଣ ପାଇଁ ଚିକିତ୍ସାର ଏକ ସମ୍ଭାବ୍ୟ ପଦ୍ଧତି ଭାବରେ ବ୍ରଡ-ସ୍ପେକ୍ଟ୍ରମ୍‌ ଆଣ୍ଟିଭାଇରାଲ୍‌ ରିମଡେସିଭର୍‌ ପରୀକ୍ଷା କରିଥିଲେ। ଏବଂ ପ୍ରାଥମିକ ଫଳାଫଳରୁ ଜଣାପଡ଼ିିଛି ଯେ ଏହା ସାଡସ୍‌- କୋଭ୍‌ ବିରୁଦ୍ଧରେ ଫଳପ୍ରଦ ଭାବେ କାର୍ଯ୍ୟକରୁଛି।
ତଥାପି, ଗବେଷକ ବୈଜ୍ଞାନିକମାନେ କହିଛନ୍ତି ଯେ ଭୂତାଣୁର ଅତିରିକ୍ତ କୋଷ ପ୍ରକାର ଉପରେ ଏବଂ ପଶୁମାନଙ୍କଠାରେ ଏହି ଅନୁସନ୍ଧାନକୁ ନିଶ୍ଚିତ କରିବା ପାଇଁ ଆହୁରି ଅଧିକ ପରୀକ୍ଷାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର