ସ୍ୱିସ୍ ବ୍ୟାଙ୍କରେ କେତେ ଅଛି ଭାରତୀୟଙ୍କ କଳାଟଙ୍କା? କେନ୍ଦ୍ର ସରକାରଙ୍କୁ ୩୩ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲେ ସ୍ୱିଜରଲାଣ୍ଡ ସରକାର

ନୂଆଦିଲ୍ଲୀ: ବିଦେଶରେ ଗଚ୍ଛିତ ଥିବା କଳାଧନ ବିରୋଧରେ କେନ୍ଦ୍ର ସରକାରଙ୍କୁ ଆଜି ଆଉ ଏକ ସଫଳତା ମିଳିଛି । କଳାଧନକୁ ନେଇ ସ୍ୱିଜରଲାଣ୍ଡ ସହ ହୋଇଥିବା ଚୁକ୍ତି ମୁତାବକ ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟ ଖାତା ଧାରକଙ୍କ ତୃତୀୟ ତାଲିକା ପ୍ରକାଶ ପାଇଛି । ଭାରତକୁ ସ୍ୱିଜରଲାଣ୍ଡ ସରକାର ପ୍ରାୟ ୩୩ ଲକ୍ଷ ଆକାଉଣ୍ଟର ବିବରଣୀ ଦେଇଛନ୍ତି | ଏନେଇ ସ୍ୱିଜରଲାଣ୍ଡ ସରକାର କହିଛନ୍ତି କି ଏହି ତାଲିକାରେ ୯୬ଟି ଦେଶର ୩୩ ଲକ୍ଷ ଖାତା ଧାରକଙ୍କ ସୂଚନା ଦିଆଯାଇଛି ।

ସ୍ୱିଜରଲାଣ୍ଡର ସଂଘୀୟ କର ପ୍ରଶାସନ(ଏଫଟିଏ) ମୁତାବକ ଚଳିତ ବର୍ଷ ଅଧିକ ୧୦ଟି ଦେଶକୁ ସେମାନଙ୍କ ଖାତା ଧାରକଙ୍କ ବାବଦରେ ସୂଚନା ଦିଆଯାଇଛି । ଏହା ମଧ୍ୟରେ ଆଣ୍ଟିଗ୍ରୁଆ, ବାରବୁଡା, ଅଜରବୈଜାନ, ଡୋମିନିକା, ଘାନା, ଲେବନାନ, ମକାଓ, ପାକିସ୍ତାନ, କତାର, ସମୋଆ ଓ ବୁଆତୁ ଅଛନ୍ତି । ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ମାସରେ ବି ସ୍ୱିଜରଲାଣ୍ଡ ସରକାର ୭୫ଟି ଦେଶର ଖାତା ଧାରକଙ୍କ ନାମ ସେୟାର କରିଥିଲା ।

ଆସନ୍ତା ୨୦୨୨ ସେପ୍ଟେମ୍ବର ମାସରେ ପୁଣି ଥରେ ସ୍ଵିସ ବ୍ୟାଙ୍କ ପକ୍ଷରୁ ଆଉ କିଛି ଖାତାଧାରକଙ୍କ ତଥ୍ୟ ଦିଆଯିବ ବୋଲି କୁହାଯାଇଛି | ଅନ୍ୟପଟେ ୨୬ଟି ଦେଶ ସ୍ୱିଜରଲାଣ୍ଡ ସହ ସୂଚନା ସେୟାର କରିଥିବା ବେଳେ ସ୍ୱିଜରଲାଣ୍ଡ ସରକାର ନିଜ ତରଫରୁ କୌଣସି ସୂଚନା ସେୟାର କରିନାହିଁ । ଅନୁମାନ କରାଯାଉଛି କି ତଥ୍ୟ ସୁରକ୍ଷା କାରଣରୁ ୧୪ଟି ଦେଶକୁ ସ୍ୱିଜରଲାଣ୍ଡ ସୂଚନା ଦେବାକୁ ମନା କରିଛି । ଏହାସହ ୧୨ଟି ଦେଶ ଜାଣିଶୁଣି ସୂଚନା ପ୍ରାପ୍ତ ନକରିବାକୁ ସହମତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର