ସୟେଦ୍‌ ସଲାହୁଦ୍ଦିନ୍‌ଙ୍କ ପୁଅ, ବିଟ୍ଟା କରାଟେଙ୍କ ପତ୍ନୀଙ୍କ ସମେତ ୪ଜଣ କର୍ମଚାରୀଙ୍କୁ ବହିଷ୍କାର କଲେ ଜମ୍ମୁ ଓ କଶ୍ମୀର ସରକାର

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ମାମଲାର ତଦନ୍ତ ବେଳେ ‘ହିଜ୍‌ବୁଲ୍‌ ମୁଜାହିଦୀନ୍‌’ ମୁଖ୍ୟ ସୟେଦ୍‌ ସଲାହୁଦିନ୍‌ଙ୍କ ପୁଅ ଏବଂ ବିଚ୍ଛିନ୍ନତାବାଦୀ ନେତା ବିଟ୍ଟା କରାଟେଙ୍କ ପତ୍ନୀଙ୍କ ସମେତ ୪ଜଣ କର୍ମଚାରୀଙ୍କୁ ଜମ୍ମୁ ଓ କଶ୍ମୀର ସରକାର ବହିଷ୍କାର କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ବହିଷ୍କାର ହୋଇଥିବା ଅନ୍ୟ ୨ଜଣ ହେଲେ କଶ୍ମୀର ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର୍‌ ମୁହୀତ ଅହମଦ୍‌ ଭଟ୍ଟ ଏବଂ ମଜିଦ୍‌ ହୁସେନ୍‌ କ୍ବାଦିରି। ସମ୍ବିଧାନର ଧାରା ୩୧୧ ଅନୁସାରେ ଉକ୍ତ ୪ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ବିନା ତଦନ୍ତରେ ସରକାର ତାଙ୍କର କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Image Courtesy of Zee News

ଜମ୍ମୁ ଓ କଶ୍ମୀର ପ୍ରଶାସନିକ ସେବା ଅଧିକାରୀ ଭାବେ ବିଟ୍ଟା କରାଟେଙ୍କ ପତ୍ନୀ ଅସାବା-ଉଲ୍‌-ଅର୍ଜମନ୍ଦ ଖାଁ ଗ୍ରାମୀଣ ବିକାଶ ନିର୍ଦେଶାଳୟରେ ନିଯୁକ୍ତି ପାଇଥିଲେ। ବିଟା କରାଟେ ଓରଫ୍‌ ଫାରୁକ୍‌ ଅହମଦ୍‌ ଦରଙ୍କ ନାଁରେ ୨ଟି ଆତଙ୍କବାଦୀ ମାମଲା ରହିଛି। ଏହାଛଡ଼ା, ସେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକାଣ୍ଡରେ ବି ଜଡ଼ିତ ଥିଲେ।

ଶିଳ୍ପ ଓ ବାଣିଜ୍ୟ ବିଭାଗର ‘ଇନ୍‌ଫର୍ମେସନ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ରେ କାର୍ଯ୍ୟ କରୁଥିବା ସୟେଦ୍‌ ଅବ୍‌ଦୁଲ୍‌ ମୁଇଦ୍‌ ହେଉଛନ୍ତି ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ‘ହିଜ୍‌ବୁଲ୍‌ ମୁଜାହିଦୀନ୍‌’ର ମୁଖ୍ୟ ସୟେଦ୍‌ ସଲାହୁଦ୍ଦିନ୍‌ଙ୍କ ପୁଅ।

ସମ୍ବନ୍ଧିତ ଖବର