ଆସିଗଲା କି କରୋନାର ତୃତୀୟ ଲହର? ଦେଖାଦେଉଛି ନୂଆ ଲକ୍ଷଣ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରରେ ବଦଳିଛି ଲକ୍ଷଣ । ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ନେଇ ଗବେଷଣା କରିବା ପରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି । ତୃତୀୟ ଲହରରେ କରୋନା ହେଉଥିବା ଲୋକଙ୍କୁ ପୂର୍ବ ଅପେକ୍ଷା ଜ୍ୱର କମ ହେଉଛି ଏବଂ ଥକାପଣ ବି ଯଥେଷ୍ଟ କମ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରଠାରୁ ଏ ଲକ୍ଷଣ ପୂରା ଅଲଗା । ଶ୍ୱାସଜନିତ ସମସ୍ୟା ବି ପୂର୍ବ ଅପେକ୍ଷା ହ୍ରାସ ପାଇଛି । ମୋଟାମୋଟି ଭାବରେ କୁହାଯାଇପାରେ ତୃତୀୟ ଲହରରେ ରୋଗୀ ଗୁରୁତର ହେବାର ଆଶଙ୍କା କମ ରହୁଛି କିନ୍ତୁ ଏ ସମ୍ପର୍କରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

ଭାରତରେ କରୋନାର ତୃତୀୟ ଲହର ଆସିଥିବା ନେଇ ସତର୍କ କରାଇଛନ୍ତି କୋଲକାତାର ବରିଷ୍ଠ ବିଶେଷଜ୍ଞ ଡାକ୍ତର । ଚିକିତ୍ସା ହେଉଥିବା ରୋଗୀଙ୍କ ତଥ୍ୟ ନେଇ କରୋନାର ନୂଆ ଲକ୍ଷଣ ସଂପର୍କରେ ଦେଶବାସୀଙ୍କୁ କରାଇଛନ୍ତି ସତର୍କ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ତୁଳନାରେ ତୃତୀୟ ଲହର ଲକ୍ଷଣରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅଧିକ ଘାତକ ହେବା ବଦଳରେ ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ।

AAMC
  • ପ୍ରଥମ ଓ ଦ୍ୱିତୀୟ ଲହରରେ ରୋଗୀଙ୍କ ଠାରେ ସ୍ୱାଦ ଓ ବାସ୍ନା ସଂପୂର୍ଣ୍ଣ ଚାଲି ଯାଉଥିବା ବେଳେ ତୃତୀୟ ଲହରରେ ୭-୮ ଦିନ ପରେ ଆଂଶିକ ଭାବେ ଏହା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି।
  • ସେହିଭଳି ରୋଗୀଙ୍କ ନିକଟରେ ଥଣ୍ଡା ଓ କାଶ ଭଳି ଲକ୍ଷଣରେ ମଧ୍ୟ ଫରକ ଦେଖିବାକୁ ମିଳୁଛି । ପୂର୍ବରୁ ଶୁଖିଲା କାଶ ହେଉଥିଲା ଏବଂ ଥଣ୍ଡା ଧରୁନଥିଲା । ତେବେ ତୃତୀୟ ଲହରରେ କାଶରେ କଫ ପଡ଼ୁଛି ଓ ରୋଗୀ ଥଣ୍ଡାରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି।
  • ପୂର୍ବରୁ ମଧ୍ୟମରୁ ଉଚ୍ଚ ତାପାମାତ୍ରାରେ ଜ୍ୱର ଆସୁଥିବା ବେଳେ ଏବେ ହାଲୁକା ଜ୍ୱର ହେଉଛି।
  • ବଡ଼କଥା ହେଉଛି ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଦୁର୍ବଳ ଓ ଥକାପଣ ସମସ୍ୟା ଗୁରୁତର ହେଉଥିବା ବେଳେ ଏବେ ଏହା ସାମାନ୍ୟ ରହୁଛି ।
  • ପ୍ରଥମ ଓ ଦ୍ୱିତୀୟ ଲହରରେ ୧୦ରୁ ୧୫ ପ୍ରତିଶତ ରୋଗୀ ଶ୍ୱାସକ୍ରିୟା ସମସ୍ୟାର ସାମନା କରୁଥିବା ବେଳେ ଏବେ ଏହାର ସଂଖ୍ୟା ୧ ପ୍ରତିଶତରୁ କମ୍
  • ଟିକାକରଣର ପ୍ରଭାବ ତୃତୀୟ ଲହର ବେଳେ ଅନୁଭୂତ  ହେଉଥିବା ଦେଖିବାକୁ ମିଳୁଛି, ପୂର୍ବରୁ ୧୦ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଥବବା ବେଳେ ଏବେ ଏହି ସଂଖ୍ୟା ୧ ପ୍ରତିଶତରୁ କମ୍ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର।

ଦେଶରେ ଏବେ କରୋନା ସଂକ୍ରମଣର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଦୁଇଟି ଡୋଜ୍ ନେଉଥିବା ଲୋକ ଗୁରୁତର ହେଉନାହାନ୍ତି । ଯେହେତୁ ଶୀତଦିନରେ ଥଣ୍ଡା ଓ କାଶ ଏକ ସାଧାରଣ ସମସ୍ୟା, ତଥାପି ଏହାକୁ ସାଧାରଣ ଥଣ୍ଡାକାଶ ବୋଲି ନଭାବି କରୋନା ପରୀକ୍ଷା କରାଇନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର