ସିରିୟା ଯୁଦ୍ଧର ପରିସମାପ୍ତି:ସେନା ପ୍ରତ୍ୟାହାର କଲା ଆମେରିକା

O ଆଇଏସ୍‌ ଉପରେ ବିଜୟ ଦାବି O ଆତଙ୍କବାଦ ସମୂଳେ ଧ୍ବଂସ ପାଇନି: ଫ୍ରାନ୍ସ

ୱାସିଂଟନ୍‌: ସିରିୟାରେ ଗୃହଯୁଦ୍ଧକୁ ନେଇ ଏବେ ବି ସ୍ଥିତି ଜଟିଳ ରହିଥିବା ବେଳେ ୨୦୧୧ରୁ ଚାଲିଥିବା ଆଇଏସ୍‌ (ଇସ୍‌ଲାମିକ୍‌ ଷ୍ଟେଟ୍‌) ବି‌ରୋଧୀ ଯୁଦ୍ଧର ପରିସମାପ୍ତି ଘଟିଛି। ଆଇଏସ୍‌ ବିରୋଧରେ ବିଜୟ ପ୍ରାପ୍ତ ହୋଇଥିବା ଦାବି କରି ଏବେ ଆମେରିକା ସିରିୟାରୁ ତା’ର ସେନା ପ୍ରତ୍ୟାହାର ଆରମ୍ଭ କରିଛି। ଆଇଏସ୍‌ର ଆଞ୍ଚଳିକ ସାମ୍ରାଜ୍ୟକୁ ଛାର୍‌ଖାର୍‌ କରିଦିଆଯାଇଛି। ସମସ୍ତ କମାଣ୍ଡ ସେଣ୍ଟର ଏବଂ ଶିବିର ଧ୍ବଂସ ହେବା ପରେ ଆଇଏସ୍‌ କୌଣସି ସ୍ଥାନରେ ମଧ୍ୟ ଯୁଦ୍ଧ କଲାଭଳି ସ୍ଥିତିରେ ନାହିଁ। ଆଇଏସ୍‌ ଆତଙ୍କବାଦୀ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି ଏବଂ ସେଠାରେ ମିଳିତ ସେନାର କୌଣସି ପ୍ରୟୋଜନ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଆମେରିକା ନେତୃତ୍ବରେ ମିଳିତ ସେନା ଆଇଏସ୍‌ ଦଖଲରେ ଥିବା ସମସ୍ତ ଅଞ୍ଚଳକୁ ମୁକ୍ତ କରିଛି ଏବଂ ଏବେ କେବଳ ଏହାର ଗତିବିଧି ଉପରେ ନଜର ରଖାଯାଉଛି। ସିରିୟାରେ ଏବେ ପ୍ରାୟ ୨,୦୦୦ ‌ଆମେରିକୀୟ ସୈନିକ ଅଛନ୍ତି ଏବଂ ଖୁବ୍‌ଶୀଘ୍ର ସେନା ପ୍ରତ୍ୟାହାର ପ୍ରକ୍ରିୟା‌ ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଇଛି। ସିରିୟା ଗୃହଯୁଦ୍ଧର ଅବସାନ ପାଇଁ ଆମେରିକା ତା’ର ସୈନ୍ୟ ମୁତୟନ କରିନଥିଲା ଏବଂ କେବଳ ଆଇଏସ୍‌ ଦମନ ପାଇଁ ସୈନ୍ୟ ନିୟୋଜିତ ହୋଇଥିଲେ ବୋଲି ଆମେରିକା ସ୍ପଷ୍ଟ କରିଛି। ୧୫ ମାର୍ଚ୍ଚ ୨୦୧୧ରୁ ଚାଲିଥିବା ସିରିୟା ଗୃହଯୁଦ୍ଧରେ ସିରିୟା ସରକାରଙ୍କ ପ୍ରାୟ ୧ ଲକ୍ଷ ସୈନ୍ୟ ନିହତ ହୋଇଥିବା ବେଳେ ୬୪,୦୦୦ ବିଦ୍ରୋହୀ ନିପାତ ହୋଇଛନ୍ତି।
ସିରିୟାରେ ବସର୍‌ ଅଲ୍‌ ଅସାଦଙ୍କ ସରକାରଙ୍କୁ ସମର୍ଥନ କରି ରୁଷ୍‌ ସୈନ୍ୟ ଏବେ ବି ମୁତୟନ ଅଛନ୍ତି ଏବଂ ଆଇଏସ୍‌ ଓ ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧରେ ଯୁଦ୍ଧ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଅଚାନକ ଆମେରିକା ସିରିୟା ଯୁଦ୍ଧରୁ ଓହରିବା ପରେ ୟୁରୋପୀୟ ସଂଘରେ ଭିନ୍ନ ମତ ଦେଖାଦେଇଛି। ଆମେରିକାର ‌ସେନା ପ୍ରତ୍ୟାହାର ସହ ବ୍ରିଟେନ୍‌ ଓ ଅନ୍ୟ ମିତ୍ର ରାଷ୍ଟ୍ରଙ୍କ ସୈନ୍ୟ ମଧ୍ୟ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର ହେବେ। ଆଇଏସ୍ ବିରୋଧରେ ଯୁଦ୍ଧ ଏବେ ବି ସରିନାହିଁ। ମଧ୍ୟପ୍ରାଚ୍ୟ ଓ ୟୁରୋପରେ ଏବେ ମଧ୍ୟ ଆଇଏସ୍‌ ତା’ର ନେଟ୍‌ୱର୍କ ସକ୍ରିୟ ରଖିବାରେ ସମର୍ଥ ଅଛି ବୋଲି ଫ୍ରାନ୍ସ କହିଛି।

ସମ୍ବନ୍ଧିତ ଖବର