ବୋମା ବିଧ୍ୱଂସ୍ତ ଘରେ ବଞ୍ଚିବା ଲାଗି ସିରୀୟ ଝିଅଙ୍କ ସଂଗ୍ରାମ- ଫଟୋ ଭାଇରାଲ୍‌

ବିନ୍ନିଶ, ସିରିୟା: ଗୋଟାଏ ବୋମା-ବିଧ୍ୱଂସ୍ତ ଘରେ ଧ୍ୱଂସ୍ୱସ୍ତପ ମଧ୍ୟରେ ଅଟକି ରହି କୁନି ଭଉଣୀର ସାର୍ଟକୁ ଜାବୁଡ଼ି ଧରି ଓହଳି ଥିବା ଧୂଳିଧୂସରିତ ସିରୀୟ ଝିଅ ଦୁଇଟିଙ୍କ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଭଗ୍ନସ୍ତପ ମଧ୍ୟରେ ସେମାନଙ୍କ ପଛକୁ ରହିଛନ୍ତି ଆତଙ୍କରେ ପାଟି ମେଲା କରି କପାଳରେ ହାତ ପିଟୁଥିବା ଜଣେ ବ୍ୟକ୍ତି।

ଏ ଫଟୋଟିକୁ ଉତ୍ତୋଳନ କରିଛନ୍ତି ଆଞ୍ଚଳିକ ଖବର େଓ୍ଵବ୍‌ସାଇଟ୍‌ ଏସ୍‌ଓ୍ଵାଇ୨୪ରେ କାର୍ଯ୍ୟରତ ଫଟୋଗ୍ରାଫର ବାଶର୍‌ ଅଲ୍‌-ଶେଖ୍‌। ବୁଧବାର ଦିନ ଯୁଦ୍ଧ ଜାହଜ ସବୁ ସିରିୟାର ଉତ୍ତରପଶ୍ଚିମ ପ୍ରଦେଶ ଇଦ୍‌ଲିବ୍‌ର ଆରିହା ସହରରେ ଧ୍ୱଂସ ରଚିବା ପରେ ପରେ ସେ ଏହାକୁ ଉତ୍ତୋଳନ କରିଥିଲେ।

ଏପ୍ରିଲ୍‌ ଶେଷ ଭାଗରୁ ଜିହାଦୀ ଶାସିତ ଏହି ଅଞ୍ଚଳ ଉପରେ ଡାମାସ୍କସ୍‌ ଏବଂ ତା’ର ମିତ୍ର ରୁଷ୍‌ ନିୟମିତ ଆକ୍ରମଣ କରି ଆସୁଛନ୍ତି।

ତାଙ୍କ ଘର ଉପରେ ବିମାନ ବୋମାମାଡ଼ ପରେ ଫଟୋରେ ଦିଶୁଥିବା ତିନି ଝିଅ ମଧ୍ୟରୁ ଜଣେ ମୃତା ଏବଂ ଅନ୍ୟ ଦୁଇଜଣ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ନିକଟବର୍ତ୍ତୀ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଇସ୍‌ମାଇଲ୍‌ କହନ୍ତି।

Image Source: Global News

ସେ ଆହୁରି କହିଲେ ଯେ, ସାନ ଭଉଣୀର ସବୁଜ ପୋଷାକକୁ ଜାବୁଡ଼ି ଧରିଥିବା ୫ ବର୍ଷୀୟ ରିହାମ୍‌ ଅଲ୍‌-ଅବ୍‌ଦ୍ଦୁଲ୍ଲା ବୋମା ବର୍ଷଣ ପରେ ପରେ ମରିଯାଇଥିଲା।

ଭଗ୍ନରାଜିରେ ଓହଳି ଥିବା ତା’ର ସାତ ମାସିଆ ଭଉଣୀ ତୌକାର ମୁଣ୍ଡରେ ଆଘାତ ଲାଗିଥିବାରୁ ତାକୁ ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଚିକିତ୍ସା କରାଯାଉଛି।

ଫଟୋରେ ଦିଶୁଥିବା ତୃତୀୟ ଭଉଣୀର ଛାତିରେ ଅସ୍ତ୍ରୋପଚାର କରାଯିବା ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ରିହାମ୍‌ ସହ ଫଟୋରେ ଦିଶୁ ନ ଥିବା ତା’ର ମାଆ ଏବଂ ଆଉ ଜଣେ ଝିଅ ରୋଓ୍ଵାନେ ମରିଯାଇଛନ୍ତି ବୋଲି ଡାକ୍ତର ଇସ୍‌ମାଇଲ୍‌ କହିଛନ୍ତି।

୨୦୧୧ ରୁ ଆରମ୍ଭ ହୋଇ ଥିବା ଯୁଦ୍ଧରେ ଏ ଯାଏଁ ସିରିୟାରେ ୩୭୦, ୦୦୦ ଲୋକ ନିହତ ହେଲେଣି।

ସମ୍ବନ୍ଧିତ ଖବର