ହାଇଦ୍ରାବାଦ: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଆଜି ସେ କହିଛନ୍ତି ଯେ ବର୍ତ୍ତମାନ କେବଳ ଘଣ୍ଟି ବଜାଉଥିବା ହିନ୍ଦୁ ନୁହେଁ ବରଂ ଗଳା କାଟିପାରୁଥିବା ହିନ୍ଦୁ ନିର୍ମାଣ ହେବାର ଆବଶ୍ୟକତା ରହିଛି | ମୁମ୍ବାଇରେ ହିନ୍ଦୁ ଆକ୍ରୋଶ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମରେ ଟି ରାଜା ସିଂ ଏହା କହିଛନ୍ତି | ହାଇଦ୍ରାବାଦର ଗୋଶାମହଲ ଆସନରୁ ବିଜେପି ବିଧାୟକ ଥିବା ଟି ରାଜା ସିଂ କହିଛନ୍ତି ଯେ ଜୋମାଟୋ, ରାପିଡୋ ଟ୍ୟାକ୍ସି, ଓଲା, ଉବରରୁ ହିନ୍ଦୁ ଝିଅମାନଙ୍କ ନାମ ଓ ନମ୍ବର ନିଆଯାଉଛି | ଆଉ ଲଭ ଜିହାଦ କରାଯାଉଛି | ଆପଣ ମୁସଲମାନଙ୍କ ଦୋକାନରୁ ସାମଗ୍ରୀ କିଣିବା ଠାରୁ ଦୂରେଇ ରୁହନ୍ତୁ |
ମୁଁ ମୋଦୀ ଜୀଙ୍କୁ ଅନୁରୋଧ କରୁଛି ଯେ 'ହମ୍ ଦୋ, ହମାରେ ଦୋ'କୁ ଆମେ ଯେଭଳି ସ୍ୱୀକାର କରୁଛୁ, ଏହା ମୁସଲମାନମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ତେବେ ଏହା ପ୍ରଥମ ଥର ନୁହେଁ ନିକଟରେ ପୁଣେରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଦେଶରେ ଲଭ ଜିହାଦ, ବେଆଇନ ଧର୍ମାନ୍ତୀକରଣ, ଗୋହତ୍ୟା ଇତ୍ୟାଦି ମାମଲା ବୃଦ୍ଧି ପାଇଛି। ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ମୁଁ ରାଜ୍ୟ ସରକାର ଏବଂ କେନ୍ଦ୍ରକୁ ଦାବି କରୁଛି। ଏହାପୂର୍ବରୁ ଜାନୁଆରୀ ୧୯ରେ ହାଇଦ୍ରାବାଦ ପୁଲିସ ଗତ ବର୍ଷ ଏକ ଧାର୍ମିକ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଟି ରାଜା ସିଂଙ୍କୁ ନୋଟିସ ପଠାଇଥିଲା। ଗତ ବର୍ଷ ଟି ରାଜା ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପେଗମ୍ବର ମହମ୍ମଦଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ତେଲେଙ୍ଗାନା ପୁଲିସ ଗିରଫ କରିଥିଲା। ଯଦିଓ ପରେ ସେ ଜାମିନ ପାଇଥିଲେ। ବିଜେପି ତାଙ୍କୁ ନିଲମ୍ବିତ କରିଥିଲା।