ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ପାଇଁ ନୂଆଦିଲ୍ଲୀର ୩୭ ବର୍ଷୀୟ ତାବ୍ରେଜ ଖାନ୍ ୬ ଥର ପ୍ଲାଜ୍ମା ଦାନ କରିବା ପରେ ଏବେ ସପ୍ତମ ଥର ଦାନ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ତାବ୍ରେଜ କହିଛନ୍ତି, ସେ ଯେତେ ଥର ପ୍ଲାଜ୍ମା ଦାନ କରିଛନ୍ତି, ସେତେଥର ହସ୍ପିଟାଲ୍ ପକ୍ଷରୁ ତାଙ୍କୁ ପ୍ରଶଂସାପତ୍ର ଆସେ ଯେ, ତାଙ୍କ ପ୍ଲାଜ୍ମା ଯୋଗୁଁ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇ ଯାଇଛି। ଏହା ତାଙ୍କୁ ଖୁସି ଦିଏ ବୋଲି ତାବ୍ରେଜ କହିଛନ୍ତି। ତାବ୍ରେଜ ନୂଆଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ବାସ କରନ୍ତି।
ସେ ୬ ଥର ପ୍ଲାଜ୍ମା ଦେଇ ସାରିବା ପରେ ଏବେ ସପ୍ତମ ଥରକୁ ଅପେକ୍ଷା କରିଛନ୍ତି। ତାଙ୍କୁ କେବେ ଲୋକନାୟକ ହସ୍ପିଟାଲ୍ ପକ୍ଷରୁ ଫୋନ୍ ଆସିବ, ତାହାକୁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ତାବ୍ରେଜ। ଷଷ୍ଠ ଥର ପ୍ଲାଜ୍ମା ଦେବାର ମାତ୍ର ଦୁଇ ସପ୍ତାହ ହୋଇଛି। ଏବେ ପୁଣି ଥରେ ପ୍ଲାଜ୍ମା ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ରେ ତାବ୍ରେଜ କରୋନା ସଂକ୍ରମିତ ହୋଇଥିଲେ। ମାର୍ଚ୍ଚ ୨୦ରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏପ୍ରିଲ ୨୧ରେ ସେ ପ୍ରଥମ ଥର ପାଇଁ ପ୍ଲାଜ୍ମା ଦାନ କରିଥିଲେ। ସେ ନୂଆଦିଲ୍ଲୀସ୍ଥିତ ଆଇଏଲ୍ବିଏସ୍ ହସ୍ପିଟାଲରେ ଥରେ, ସାର୍ ଗଙ୍ଗାରାମ ହସ୍ପିଟାଲରେ ଦୁଇଥର, ଏସ୍ଏଆଇଏଚ୍ ଏବଂ ଲୋକନାୟକ ହସ୍ପିଟାଲରେ ଥରେ ଲେଖାଏ ପ୍ଲାଜ୍ମା ପ୍ରଦାନ କରିଛନ୍ତି।