ଓଡ଼ିଶାରେ ଅଛି କି ଟେବୁଲଟପ୍ ରନୱେ, ଯେଉଁଠି ଖୁବ ସତର୍କତାର ସହ ବିମାନ ଓହ୍ଲାନ୍ତି ପାଇଲଟ

ନୂଆଦିଲ୍ଲୀ: କେରଳର କୋଝିକୋଡରେ ଗତକାଲି ଘଟିଥିବା ବଡ଼ ଧରଣର ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି| କୁହାଯାଉଛି ବିମାନଟି ରନୱେ ୧୦ରେ ଅବତରଣ କରି ରନୱେ ଶେଷ ପର୍ଯ୍ୟନ୍ତ ଯାଇଥିଲା। ବିମାନଟି ଅବତରଣ କରି ରନୱେ ଉପରେ ଗତି କରିଥିଲା। ଏହାପରେ ସଂପୂର୍ଣ୍ଣ ରନୱେ ଅତିକ୍ରମ କରିବା ପରେ ଅଟକି ପାରି ନ ଥିଲା। ଏହାପରେ ରନୱେର ଠିକ ଶେଷମୁଣ୍ଡରେ ଥିବା ଏକ ଗର୍ତ୍ତ ଭିତରକୁ ପ୍ରବଳ ବେଗରେ ଖସି ପଡ଼ିଥିଲା। ପ୍ରାୟ ୩୫ ଫୁଟ୍ ଖସି ପଡ଼ି ବିମାନଟି ବଡ଼ ଝଟକାରେ ଦୁଇ ଖଣ୍ଡ ହୋଇଯାଇଥିଲା। ତେବେ କୋଝିକୋଡର କାରିପୁର ବିମାନବନ୍ଦର ମାଙ୍ଗାଲୁରୁ ଭଳି ଏକ ଟେବୁଲଟପ୍ ବିମାନ ବନ୍ଦର।

ଏହି ବିମାନ ବନ୍ଦରର ରନୱେ ଭୂମିଠାରୁ ଉଚ୍ଚତାରେ ନିର୍ମାଣ କରାଯାଇଛି। ଫଳରେ ରନୱେ ଚାରିପାଖରେ ବିରାଟ ଗର୍ତ୍ତ ରହିଛି। ଭାରତରେ ତିନୋଟି ଟେବୁଲଟପ ବିମାନବନ୍ଦର ଅଛି ଯେଉଁଠାରୁ ନିର୍ଦ୍ଧାରିତ ବିମାନ ଚଳାଚଳ କରିଥାଏ। ଏଗୁଡ଼ିକ ହେଉଛି ମାଙ୍ଗାଲୋର, କୋଝିକୋଡ ଏବଂ ଲେଙ୍ଗପୁଇ | କର୍ଣ୍ଣାଟକର ମାଙ୍ଗାଲୋର, କେରଳର କୋଝିକୋଡ ଓ ମିଜୋରାମରେ ଥିବା ଲେଙ୍ଗପୁଇ ବିମାନବନ୍ଦରରେ ଟେବୁଲଟପ ରନ ୱେ ରହିଛି | ଓଡିଶାର ଭୁବନେଶ୍ୱର ଓ ଝାରସୁଗୁଡା ବିମାନବନ୍ଦରରେ ଏହି ପ୍ରକାରର ରନ ୱେ ନାହିଁ |

ଛୋଟ ସ୍ଥାନରେ ଏହି ରନ ୱେ ନିର୍ମାଣ କରାଯାଇଥିବାରୁ ବିମାନ ଉଡାଣ ଓ ଅବତରଣ ସମୟରେ ପାଇଲଟମାନେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତି | ଅଭିଜ୍ଞ ପାଇଲଟଙ୍କ ପାଇଁ ବି ଏହି ରନ ୱେରେ ବିମାନ ଅବତରଣ କରିବା ବେଶ କାଠିକର ପାଠ ହୋଇଥାଏ | ୨୦୧୦ରେ ମଧ୍ୟ ମାଙ୍ଗାଲୋର ବିମାନବନ୍ଦରରେ ବିମାନ ଦୁର୍ଘଟଣା ହୋଇଥିଲା | ଟେବୁଲଟପ ରନ ୱେ ଯୋଗୁଁ ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୧୬୦ ଜଣଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର