ରିଆଦ: ସାଉଦି ଆରବ ଇସଲାମିକ୍ ଜଗତକୁ ସ୍ତବ୍ଧ କରି ଇସଲାମିକ୍ ଧର୍ମାନ୍ତରୀକରଣ ଆନ୍ଦୋଳନ ‘ତବଲିଗି ଜମାତ’କୁ ନିଷିଦ୍ଧ ଘୋଷଣା କରିବା ସହ ଏହାକୁ ଆତଙ୍କବାଦର ଦ୍ବାର ବୋଲି ଅଭିହିତ କରିଛି। ସାଉଦି ଆରବ ଦ୍ବାରା ନିଷିଦ୍ଧ ହେବା ପରେ ଏ ଆନ୍ଦୋଳନ ବିଶ୍ବର ଅନେକ ଅଞ୍ଚଳରେ ଧୀରେ ଧୀରେ ଦୁର୍ବଳ ହୋଇଯିବ। କାରଣ ସାଉଦି ଆରବରୁ ହିଁ ସେମାନେ ନିଜର ଇସଲାମିକ୍ ଆନ୍ଦୋଳନ ଚଳାଇବା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ପାଉଥିଲେ। ଭାରତରେ ଏହି ଆନ୍ଦୋଳନ ଇସଲାମ୍‌କୁ ‘ପ୍ୟୁରିଫାଏ’ (ସ୍ବଚ୍ଛ) କରିବା ପାଇଁ ଆରମ୍ଭ ହୋଇଥିଲା। ସାଉଦି ଆରବ ଏହାକୁ ନିଷିଦ୍ଧ କଲା ପରେ ଅନ୍ୟ କେତେକ ଦେଶ ବି ତାହାର ଅନୁସରଣ କରିପାରନ୍ତି। କିନ୍ତୁ ମାଲେସିଆ, ଇଣ୍ଡୋନେସିଆ, ବାଂଲାଦେଶ ଓ ପାକିସ୍ତାନ ପରି ଦେଶରେ ତବଲିଗି ଜନସଂଖ୍ୟା ବହୁତ ଥିବାରୁ ସେମାନଙ୍କ ପାଇଁ ଏପରି ପଦକ୍ଷେପ ନେବା ସହଜ ହେବ ନାହିଁ। ସାଉଦି ଆରବର ଇସଲାମିକ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି: ମାନ୍ୟବର ଇସଲାମିକ୍ ବ୍ୟାପାର ମନ୍ତ୍ରୀ ଡ. ଅବଦୁଲ୍ଲାତିଫ ଅଲ୍-ଆଲ୍‌ଶେଖ୍ ସବୁ ମସଜିଦର ଧର୍ମଯାଜକ ଓ ମସଜିଦଗୁଡ଼ିକୁ ଶୁକ୍ରବାର ପ୍ରାର୍ଥନା ସଭାରେ ତବଲିଗି ଓ ଦାୱା ଗ୍ରୁପ୍ ବିରୋଧରେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଭାରତରେ ତବଲିଗି ଆନ୍ଦୋଳନ ମହମ୍ମଦ ଇଲିୟାସ କଣ୍ଡଲାୱିଙ୍କ ନେତୃତ୍ବରେ ୧୦୦ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏମାନେ ‘ପିଓର’ (ଶୁଦ୍ଧ) ଇସଲାମକୁ ପ୍ରତ୍ୟାବର୍ତ୍ତନ ପାଇଁ ଲୋକଙ୍କୁ ବୁଝାଉଥିଲେ ଏବଂ ଅନ୍ୟ ଧର୍ମର ଲୋକଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଉଥିଲେ। ବିଦେଶୀ ପାଣ୍ଠିରେ ସେମାନେ ତାଙ୍କର ଧର୍ମାନ୍ତରୀକରଣ କାର୍ଯ୍ୟ ପରିଚାଳନା କରୁଥିଲେ। ଏହାଦ୍ବାରା ବହୁ ହିନ୍ଦୁ ଧର୍ମାନ୍ତରିତ ହୋଇଥିଲେ। ଏହାପରେ ଆର୍ଯ୍ୟ ସମାଜର ଶୁଦ୍ଧୀକରଣ ବା ମୂଳ ‘ଘର ୱାପସି’ ଅଭିଯାନରେ ଅନେକ ଧର୍ମାନ୍ତରିତ ବ୍ୟକ୍ତି ହିନ୍ଦୁଧର୍ମକୁ ପ୍ରତ୍ୟାବର୍ତ୍ତନ ବି କରିଥିଲେ। ଧର୍ମାନ୍ତରୀକରଣକୁ ନେଇ ଭାରତରେ ବିଭିନ୍ନ ସମୟରେ ଅଶାନ୍ତି ବି ଦେଖାଯାଉଥିଲା। ସାଉଦି ଟଙ୍କାରେ ସାରା ବିଶ୍ବରେ ତବଲିଗି ନିଜର କାୟା ବିସ୍ତାର କରିଥିଲା। ଗତ ଏପ୍ରିଲ ୨୦୨୦ରେ ତବଲିଗି କୋଭିଡ୍ କଟକଣାକୁ ନ ମାନି ଦିଲ୍ଲୀରେ ଏକ ବିରାଟ ଧର୍ମ ସମ୍ମିଳନୀର ଆୟୋଜନ କରିଥିଲା। ଏହା ଫଳରେ ରୋଗ ସଂକ୍ରମଣ ବ୍ୟାପକ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ସେମାନଙ୍କ ପୃଷ୍ଠପୋଷକ ସାଉଦି ଆରବ ସେମାନଙ୍କୁ ନିଷିଦ୍ଧ କରିବା ଦ୍ବାରା ସେମାନଙ୍କ ଇସଲାମୀକରଣ ଅଭିଯାନ ବ୍ୟାହତ ହେବା ନିଶ୍ଚିତ ହୋଇଯାଇଛି।