ନୂଆଦିଲ୍ଲୀ: ୨୦୦୮ ନଭେମ୍ବର ୨୬... ବିରାଟ ଧମାକାରେ ଦୋହଲି ଯାଇଥିଲା ଦେଶର ବାଣିଜ୍ୟ ସହର ମୁମ୍ବାଇ । ଥରିଥିଲା ଦେଶ, ଆତଙ୍କୀ ଆତଙ୍କରେ ଆତଙ୍କିତ ହୋଇଥିଲେ ଦେଶବାସୀ । ସବୁଠି ଖେଳିଯାଇଥିବା ଭୟର ବାତାବରଣ, ହୋଟେଲ ଭିତରେ କୋକୁଆ ଭୟ । ଆତଙ୍କୀଙ୍କ ଗୁଳିମାଡ଼ରେ ରକ୍ତପାତ ହୋଇଥିଲା ମାୟାନଗରୀ... ଆଉ ଏହାରି ଭିତରେ ବିତି ଗଲାଣି ଦେଢ ଦଶନ୍ଧି, ବଦଳି ଗଲେଣି ବି ସରକାର । ହେଲେ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଭାରତ ଅଣାଯାଇ ପାରୁନଥିଲା । ମାତ୍ର ଦୀର୍ଘ ୧୬ ବର୍ଷ ପରେ ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାର ଭାରତକୁ ଅଣାଯାଉଛି । ଭାରତ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । କଡ଼ା ସୁରକ୍ଷା ଭିତରେ ଆମେରିକାରୁ ସ୍ବତନ୍ତ୍ର ବିମାନ ଯୋଗେ ଆତଙ୍କୀକୁ ଏନଆଇଏ ଏବଂ ର’ ଟିମର ସଦସ୍ୟ ଆଣୁଛନ୍ତି । ତେବେ ତହବୁର ଫେରିବା ଭାରତର ବଡ କୁଟନୀତି ବିଜୟ ବୋଲି କହିଲେ କିଛି ଭୁଲ ହେବନି ।

Advertisment

ତହବୁର ପ୍ରତ୍ୟର୍ପଣର ଘଟଣାକ୍ରମ

-୨୦୧୧ରେ ଚାର୍ଜସିଟ୍ ଦାଖଲ କରିଥିଲା ଏନଆଇଏ
-୪ ଡିସେମ୍ବର ୨୦୧୯ରେ ଆମେରିକାରୁ ପ୍ରତ୍ୟାବର୍ତ୍ତନ ଦାବି କରିଥିଲା ଭାରତ 
-୧୦ ଜୁନ୍ ୨୦୨୦ରେ ତହବୁର ରାଣାର ଗିରଫଦାରୀ ଦାବି ହୋଇଥିଲା
-୨୨ ଜୁନ୍ ୨୦୨୧ ଆମେରିକା କୋର୍ଟରେ ପ୍ରମାଣ ଦାଖଲ କରିଥିଲା ଭାରତ 
-୧୩ ନଭେମ୍ବର ୨୦୨୪ରେ ପ୍ରତ୍ୟାବର୍ତ୍ତନ ବିରୋଧରେ ତଳ କୋର୍ଟ ଯାଇଥିଲା ରାଣା
-୨୧ ଜାନୁଆରୀ ୨୦୨୫ରେ ରାଣା ଅପିଲ ଖାରଜ କରିଥିଲେ ଆମେରିକା ତଳ କୋର୍ଟ
-ପରେ ଆମେରିକା ସୁପ୍ରିମକୋର୍ଟ ମଧ୍ୟ ରାଣାଙ୍କ ଅପିଲ ଖାରଜ କରିଥିଲେ
-ଆଉ ଶେଷରେ ଆଜି ଆସୁଛି ଆତଙ୍କୀ ରାଣା

ସେପଟେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାରତ ପହଞ୍ଚିବା ଆଗରୁ ବଡ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଛନ୍ତି, ତହବୁର ରାଣାର ପ୍ରତ୍ୟର୍ପଣ ମୋଦୀ ସରକାରଙ୍କ ପାଇଁ କୁଟନୀତିର ଏକ ବିରାଟ ବିଜୟ । ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାରରେ ଶାହା କହିଛନ୍ତି, ଯେଉଁମାନେ ଭାରତ ଭୂମି, ଭାରତର ସମ୍ମାନ ଏବଂ ଭାରତର ନାଗରିକଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ସେମାନେ ଆମ ଆଇନର ପରିସରଭୁକ୍ତ ହେବା ଦରକାର । ଏହା ହିଁ ମୋଦୀ ସରକାରଙ୍କ ପ୍ରୟାସ । ଆଉ ତହବୁର ରାଣା ଭାରତ ଫେରିବା ମୋଦୀ ସରକାରଙ୍କ ପାଇଁ ଏକ ବଡ କୁଟନୈତିକ ବିଜୟ ।