ଆଇବି ଅଧିକାରୀ ହତ୍ୟା ମାମଲାରେ ନିଲମ୍ବିତ ଆପ ନେତା ତାହିର ହୁସେନ ଗିରଫ

ନୂଆଦିଲ୍ଲୀ : ଗତ ଫେବ୍ରୁଆରିରେ ହୋଇଥିବା ଦିଲ୍ଲୀ ଦଙ୍ଗା ବେଳେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କ ନିର୍ମମ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଆଜି ଆମ ଆଦମି ପାର୍ଟିରୁ ନିଲମ୍ବିତ ନେତା ତାହିର ହୁସେନକୁ ଗିରଫ କରିଛି । ଦିଲ୍ଲୀର ଏକ କୋର୍ଟରୁ ତାକୁ ଗିରଫ କରାଯାଇଛି । ତାକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ ଦିଲ୍ଲୀର ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ପଓ୍ଵନ ସିଂ ରାଜାଓ୍ଵତଙ୍କ ନିକଟରେ ଆବେଦନ କରିଛି ।
ଅଙ୍କିତ ଶର୍ମାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ କରି ତାଙ୍କ ପିତା ଥାନାରେ ମାମଲା ରୁଜ୍ଜୁ କରିଥିଲେ । ଗତ ଫେବ୍ରୁଆରି ୨୭ ତାରିଖରେ ଦିଲ୍ଲୀର ଦୟାଲ ପୁଲିସ ଷ୍ଟେସନରେ ପୁଲିସ ଏଫଆଇଆର ରୁଜ୍ଜୁ କରିଥିଲା । ତା ବିରୁଦ୍ଧରେ ଧାରା ଆଇପିସିର ୩୦୨ (ହତ୍ୟା ),୩୬୫ (ବଳପୂର୍ବକ ଅପହରଣ) ମାମଲା ଲଗାଯାଇଥିଲା । ଏଫଆଇଆର ରୁଜ୍ଜୁ ହେବା ପରେ ଆପରୁ ମଧ୍ୟ ତାକୁ ନିଳମ୍ବିତ କରାଯାଇଥିଲା ।

ଦିଲ୍ଲୀ ହିଂସା ବେଳେ ତାହିର ହୁସେନ ଘରେ ଦଙ୍ଗାକାରୀ ଆଶ୍ରୟ ନେବା ସହ ଆକ୍ରମଣ କରିଥିବା ଭିଡ଼ିଓ ଭାଇରାଲ ହେବା ପରେ ତାକୁ ଗିରଫ କରିବାକୁ ପୁଲିସ ଉପରେ ପ୍ରବଳ ଚାପ ପଡ଼ୁଥିଲା । ତା’ଘରୁ ମଧ୍ୟ ବିପୁଳ ପରିମାଣରେ ବିସ୍ଫୋରକ, ପେଟ୍ରୋଲ ବୋମା, ଏସିଡ, ପଥର, ମାରଣାସ୍ତ୍ର ଆଦି ମିିଳିଥିଲା ।

ସମ୍ବନ୍ଧିତ ଖବର