ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ତାହିର ହୁସେନ୍ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଓ ଗୁଇନ୍ଦା ବ୍ୟୁରୋ ଅଧିକାରୀ ଅଙ୍କିତ୍‌ ଶର୍ମାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଆମ୍ ଆଦମୀ ପାର୍ଟିର ପୂର୍ବତନ କର୍ପୋରେଟର ତାହିର ହୁସେନଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି । ଏହା ପୂର୍ବରୁ ଦିଲ୍ଲୀର ଏକ କୋର୍ଟରେ ସେ ଆତ୍ମସମର୍ପଣ କରିବାକୁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଖାରଜ କରିଦେଇଥିଲେ ।

ଏହା ପୂର୍ବରୁ ତାହିର ଗତ ମଙ୍ଗଳବାରଦିନ ଦିଲ୍ଲୀର ଏକ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହି ମାମଲାର ଶୁଣାଣି ଆଜି ଅର୍ଥାତ ଗୁରୁବାର ଦିନ କରିବାର ଥିଲା । ଅଙ୍କିତ ଶର୍ମାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ କରି ତାଙ୍କ ପିତା ଥାନାରେ ମାମଲା ରୁଜ୍ଜୁ କରିଥିଲେ । ଗତ ୨୭ ତାରିଖରେ ଦିଲ୍ଲୀର ଦୟାଲ ପୁଲିସ ଷ୍ଟେସନରେ ପୁଲିସ ଏଫଆଇଆର ରୁଜ୍ଜୁ କରିଥିଲା ହୁସେନଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୨ (ହତ୍ୟା ),୩୬୫ (ବଳପୂର୍ବକ ଅପହରଣ) ମାମଲା ରୁଜୁ ହୋଇଥିଲା । ଏଫଆଇଆର ରୁଜ୍ଜୁ ହେବା ପରେ ଆପରୁ ମଧ୍ୟ ତାକୁ ନିଳମ୍ବିତ କରାଯାଇଥିଲା ।

ହିଂସା ବେଳେ ତାହିର ହୁସେନ ଘରେ ଦଙ୍ଗାକାରୀ ଆଶ୍ରୟ ନେବା ସହ ଆକ୍ରମଣ କରିଥିବା ସମୟର ଭିଡ଼ିଓ ଭାଇରାଲ ହେବା ପରେ ତାକୁ ଗିରଫ କରିବାକୁ ପୁଲିସ ଉପରେ ପ୍ରବଳ ଚାପ ପଡ଼ୁଥିଲା । ହୁସେନଙ୍କ ଘର ଛାତ ଉପରୁ ମଧ୍ୟ ବିପୁଳ ପରିମାଣରେ ବିସ୍ଫୋରକ, ପେଟ୍ରୋଲ ବୋମା, ଏସିଡ, ପଥର, ମାରଣାସ୍ତ୍ର ଆଦି ମିିଳିଥିଲା ।

ସମ୍ବନ୍ଧିତ ଖବର