ଜଣେ ଦରଜିର ଭୟାନକ କାହାଣୀ: ଦିନରେ ସିଲେଇ, ରାତିରେ ହତ୍ୟା ୩୩ ଜଣଙ୍କ ଜୀବନ ନେଇଛି

‘ମୋକ୍ଷ’ ଦେବାକୁ ଏଭଳି କରୁଥିଲା

ଭୋପାଳ: ବେଶ୍‌ ନମ୍ର ସ୍ୱଭାବର ବ୍ୟକ୍ତି ଥିଲା। କାହା ସହିତ ଝଗଡ଼ା ଝାଣ୍ଟି କରୁନଥିଲା କି କାହାକୁ ମାର୍‌ଧର କରୁନଥିଲା। ଭୋପାଳରେ ଏକ ଛୋଟ ଦୋକାନ ଦେଇ ଲୋକଙ୍କ ଚିରାଫଟା ପୋଷାକ ସିଲେଇ କରୁଥିଲା। କିନ୍ତୁ ଆଜି ତାକୁ ନେଇ ଭୋପାଳ କାହିଁକି, ସାରା ଦେଶ ଚକିତ। ଦିନରେ ଲୋକଙ୍କ କପଡ଼ା ସିଲେଇ କରୁଥିବା ଏହି ବ୍ୟକ୍ତି ଜଣକ ରାତିରେ ସଇତାନ ସାଜି ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରୁଥିଲା। ଗୋଟିଏ କି ଦୁଇଟି ନୁହେଁ, ୮ ବର୍ଷ ମଧ୍ୟରେ ୩୩ ଜଣଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଦିନରେ ଯେତିକି ନମ୍ର ଜଣାପଡୁଥିଲା ରାତିରେ ତାହାର ଢେର ଗୁଣ ଅଧିକ ହିଂସ୍ର ପାଲଟି ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଥିଲା। ପୁଲିସକୁ ଏହାର କାଣିଚାଏ ଟେର୍‌ ମିଳିନଥିଲା। ଭୋପାଳର ଏହି ବ୍ୟକ୍ତି ଜଣକ ହେଉଛି ଆଦେଶ ଖାମ୍‌ରା। ବୟସ ୪୮। ଗତ ସପ୍ତାହରେ ଭୋପାଳ ପୁଲିସ ତାକୁ ଗିରଫ କରିଛି। ଗିରଫ ପରେ ଜୀବନରେ ସେ ୩୩ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ତା’ ମୁହଁରୁ ଏସବୁ ଶୁଣିବା ପରେ ପୁଲିସ ବି ଚକିତ ହୋଇଯାଇଛି। କିନ୍ତୁ ଏହି ଘଟଣା ସ୍ୱୀକାର କରିବା ସମୟରେ ଖାମ୍‌ରା ମୁହଁରେ ସାମାନ୍ୟତମ ଅବସୋସ ଦେଖିବାକୁ ମିଳିନଥିଲା। ଭୋପାଳ ସିଟି ଏସ୍‌ପି ତଥା ତାଏକୋଣ୍ଡୋରେ ବ୍ଲାକ୍‌ବେଲ୍ଟ ପ୍ରାପ୍ତ ଏବଂ ଏସିଆନ୍‌ ଗେମ୍ସରେ କାଂସ୍ୟ ପଦକ ହାସଲକାରୀ ବିଟ୍ଟୁ ଶର୍ମା ଖାମ୍‌ରାକୁ ପିଛା କରି ଗିରଫ କରିଥିଲେ।

ଖାମ୍‌ରା ୨୦୧୦ରେ ପ୍ରଥମେ ଜଣେ ଟ୍ରକ୍‌ ଡ୍ରାଇଭରକୁ ହତ୍ୟା କରିଥିଲା। ଅମରାବତୀରୁ ତା’ର ହତ୍ୟା ଅଭିଯାନ ଆରମ୍ଭ ହୋଇଥିଲା। ଏହାପରେ ନାସିକ୍‌ରେ ଆଉ ଜଣକୁ ହତ୍ୟା କରିଥିଲା। ପରେ ସେ ଆଉ ଅଟକି ନାହିଁ। ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ବିହାରରେ ଏଭଳି ଜଣକ ପରେ ଜଣକୁ ହତ୍ୟା କରିଥିଲା ଖାମ୍‌ରା। ହତ୍ୟାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ କେବଳ ଟ୍ରକ୍‌ ଡ୍ରାଇଭର ଏବଂ ସେମାନଙ୍କ ହେଲ୍‌ପର ଥିଲେ। ପ୍ରଥମେ ସେ ଡ୍ରାଇଭର୍‌ଙ୍କୁ ମଦ ପିଆଉଥିଲା। ସେମାନେ ନିଶାସକ୍ତ ହେବା ପରେ ଧାରୁଆ ଛୁରି ସାହାହ୍ୟରେ ସେମାନଙ୍କୁ ହତ୍ୟା କରୁଥିଲା। ଏମିତି କି ବିଷପାନ କରାଇ ଏବଂ ଦଉଡ଼ି ସାହାଯ୍ୟରେ ତଣ୍ଟି ଚିପି ମଧ୍ୟ ସେ ହତ୍ୟା କରିଥିବା ସ୍ୱୀକାର କରିଛି। ଡ୍ରାଇଭର ଓ ହେଲ୍‌ପରଙ୍କୁ ଟାର୍ଗେଟ୍‌ କରି ସେମାନଙ୍କୁ ହତ୍ୟା କରିବାର କାରଣ ସଂପର୍କରେ ଖାମ୍‌ରା ଯେଉଁ ବୟାନ ଦେଇଛି, ତାହା ମଧ୍ୟ ବିସ୍ମୟ କଲାଭଳି। ଏ ନେଇ ଖାମ୍‌ରା କହିଛି ଯେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରମାନେ ଅତ୍ୟନ୍ତ ଦୟନୀୟ ଭାବେ ବଂଚନ୍ତି। ଏଭଳି ବଂଚିବା ଅପେକ୍ଷା ମରିଯିବା ଭଲ। ତେଣୁ ସେମାନଙ୍କୁ ମୋକ୍ଷ ଦେବା ପାଇଁ ଏଭଳି କରିଛି। ଏହାଦ୍ୱାରା ସେମାନେ ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି। ଖାମ୍‌ରାର ସହଯୋଗୀ ଜୟକରନ୍‌ ମଧ୍ୟ ଅନୁରୂପ ବୟାନ ଦେଇଛି।

ଭୋପାଳ ପୁଲିସ ଦର୍ଶାଇଛି ଯେ ଦିନରେ ଖାମ୍‌ରା ତା’ର ଛୋଟ ଦୋକାନରେ ଛୁଞ୍ଚିରେ ସୂତା ପୂରାଇବା, କପଡ଼ା ସିଲେଇ କରିବା ଓ କପଡ଼ା କାଟିବା ଭଳି କାର୍ଯ୍ୟ କରିଥାଏ। ସ୍ଥାନୀୟ ଲୋକମାନଙ୍କ ସହିତ ତା’ର ସୁସଂପର୍କ ମଧ୍ୟ ରହିଛି। କିନ୍ତୁ ରାତିରେ ବିଛଣାକୁ ଯିବା କ୍ଷଣି ସେ ସଂପୂର୍ଣ୍ଣ ବଦଳିଯାଏ। ହାତରେ ଛୁଞ୍ଚି ବଦଳରେ ଛୁରି ଓ ଅନ୍ୟ ହତିଆର ଧରେ। ଛୁଞ୍ଚିରେ ସୂତା ପୂରାଇବା ପରିବର୍ତ୍ତେ ହତିଆରକୁ ଶାଣିତ କରେ। ଏହାପରେ ନିଜ ଶିକାର ସନ୍ଧାନରେ ବାହାରିପଡ଼େ। ରାତିରେ ସେ ଡ୍ରାଇଭର ଓ ହେଲ୍‌ପରଙ୍କୁ ହତ୍ୟା କରୁଥିବା ବେଳେ ତା’ର ସହଯୋଗୀମାନେ ଲୁଟ୍‌ପାଟ କରନ୍ତି। ହତ୍ୟା କରିବା ପରେ ମୃତଦେହକୁ ଅନ୍ୟ ଟ୍ରକ୍‌ ଡାଲାରେ ଫିଙ୍ଗିଦିଏ। ଫଳରେ ମୃତଦେହ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହୋଇଯାଏ। ଏହାଦ୍ୱାରା ପୁଲିସକୁ କୌଣସି ସୁରାକ୍‌ ମିଳିନଥାଏ। ୪୮ ବର୍ଷୀୟ ଖାମ୍‌ରା ସଂପର୍କରେ ଏଭଳି ଲୋମଟାଙ୍କୁରା ଘଟଣା ଶୁଣିବା ପରେ ତା’ର ଘର ଲୋକ, ସାହିପଡ଼ିଶା ଲୋକ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଏତେ ଭୟଙ୍କର ଲୋକ ସହିତ ସେମାନେ କିଭଳି ରହୁଥିଲେ ବୋଲି ବିସ୍ମୟ ପ୍ରକାଶ କରିଛନ୍ତି। ଖାମ୍‌ରା ତା’ ଜୀବନରେ ଯେଉଁସବୁ ହତ୍ୟା କରିଛି, ତା’ର ସବୁ ତାଲିକା ତା’ ମନରେ ଅଛି। କେବେ କେଉଁଠି ଏବଂ କେମିତି ସେ ହତ୍ୟା କଲା, ହତ୍ୟା ପରେ ମୃତଦେହକୁ କିଭଳି ଲୁଚାଇଲା ସେ ନେଇ ସମସ୍ତ ଘଟଣା ତା’ର ମନେ ଅଛି। ୩୩ ହତ୍ୟା କରିଥିବା ଖାମ୍‌ରାର ନାମ ଏବେ ଦେଶର ଅନ୍ୟ ସିରିଏଲ୍‌ କିଲର୍‌ଙ୍କ ସହିତ ଯୋଡ଼ିହୋଇ ଯାଇଛି। ଏହି ତାଲିକାରେ ୪୨ ଲୋକଙ୍କ ଜୀବନ ନେଇଥିବା ରମଣ ରାଘବ, ନିଠାରୀ କାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ଭଳି ଅପରାଧୀ ରହିଛନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଖାମ୍‌ରା ସମ୍ପ୍ରଦାୟର ଲୋକମାନେ ସଂଗଠିତ ହୋଇ ରୁହନ୍ତି। ଏମାନେ ଅଧିକ ପରିଶ୍ରମୀ ଓ ଶିକ୍ଷିତ। ଦେଶ ବିଭାଜନ ପରେ ଏମାନଙ୍କର ପୂର୍ବଜ ପାକିସ୍ତାନରୁ ଚାଲିଆସିଥିଲେ। ଏହି ସଂପ୍ରଦାୟର ଆଉ ଜଣେ ଅପରାଧୀ ଅଶୋକ ଖାମ୍‌ରାକୁ ନେଇ ଖାମ୍‌ରା ସଂପ୍ରଦାୟ ଲୋକମାନେ ଲଜ୍ଜିତ ଅନୁଭବ କରୁଥିଲେ। ଅଶୋକ ଖାମ୍‌ରା ୧୦୦ ଟ୍ରକ୍‌ ଚାଳକଙ୍କୁ ହତ୍ୟା କରିଥିଲା। କିନ୍ତୁ ଏବେ ଆଦେଶ ଖାମ୍‌ରା କରିଥିବା କାଣ୍ଡ ପଦାକୁ ଆସିବା ପରେ ସେମାନଙ୍କୁ ବଡ଼ଧରଣର ଝଟ୍‌କା ଲାଗିଛି। ଖାମ୍‌ରାର ଗୋଟିଏ ପୁଅ ସ୍ଥାନୀୟ କମ୍ପାନିରେ କାମ କରୁଛନ୍ତି। ବଡ଼ ପୁଅ ଶୁଭମ୍‌ କୁହନ୍ତି, ଖବରକାଗଜରେ ପିତାଙ୍କ ବିଷୟରେ ଶୁଣିବା ପରେ ଚକିତ ହୋଇଯାଇଥିଲୁ। ତେବେ ତାଙ୍କୁ ଶେଷ ଥର ପାଇଁ ଅଗଷ୍ଟ ୧୫ରେ ଦେଖିଥିଲୁ।

ସମ୍ବନ୍ଧିତ ଖବର