ଚୀନ୍‌ ଘେରାବନ୍ଦୀରେ ତାଇୱାନ: ତାଇୱାନ ଆକାଶରେ ଚୀନ୍‌ର ୨୭ ଯୁଦ୍ଧ ବିମାନ, ସବୁ ଦିଗରୁ ଅବରୋଧ

ବାଣିଜ୍ୟ କାରବାର ବ୍ୟାହତ, ଯୁଦ୍ଧ ଆଶଙ୍କା ବଢ଼ୁଛି

‌ତାଇପେଇ: ତାଇୱାନକୁ ନେଇ ଦୁଇ ମହାଶକ୍ତି ଚୀନ୍‌ ଓ ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ତାଇୱାନର ସ୍ବାଧୀନତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକା ବଦ୍ଧପରିକର ବୋଲି ଆଜି ପୁଣି ଘୋଷଣା କରିବା ପରେ ଦକ୍ଷିଣ ଚୀନ୍‌ ସାଗରରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି। ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସି ଚୀନ୍‌ ସହ ଚାଲିଥିବା ବିବାଦର ନିଆଁରେ ଘିଅ ଢାଳିଛନ୍ତି। ତାଙ୍କର ତାଇୱାନ ଗସ୍ତ ବେଜିଂ ଓ ୱାସିଂଟନ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି। ତାଇୱାନ ଉପରେ ରାଗ ଶୁଝାଇବାକୁ ଚୀନ୍‌ ଆଜି ତାଇୱାନକୁ ୬ ପଟୁ ଘେରି ରହିଛି। ଚୀନ୍‌ର ଯୁଦ୍ଧପୋତଗୁଡ଼ିକ ତାଇୱାନକୁ ପୂରା ଘେରାବନ୍ଦୀରେ ରଖିଥିବା ବେଳେ ଚୀନ୍‌ର ୨୭ଟି ଯୁଦ୍ଧ ବିମାନ ତାଇୱାନ ବାୟୁ ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କରିଛି। ତାଇୱାନ ଜଳରାଶିରେ ଚୀନ୍‌ ଆଜିଠାରୁ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଥିବାରୁ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ପେଲୋସି ଆଜି ତାଇୱାନ ଗସ୍ତରୁ ଫେରିବା ପରେ ଚୀନ୍‌ର ଆଭିମୁଖ୍ୟ ଅତ୍ୟନ୍ତ ଆକ୍ରମଣାତ୍ମକ ରହିଥିବାରୁ ତାଇୱାନ କର୍ତ୍ତୃପକ୍ଷ ଜାପାନ ସମେତ ଅନ୍ୟ ମିତ୍ର ରାଷ୍ଟ୍ରମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି। । ଅନ୍ୟପକ୍ଷରେ ଚୀନ୍‌ ନାଗରିକମାନେ ଆମେରିକା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚୀନ୍‌ର ମାଇକ୍ରୋବ୍ଲଗିଂ ଫ୍ଲାଟ୍‌ଫର୍ମ ୱେବୋ‌ ଏ ସମ୍ପର୍କିତ ଆଲୋଚନରେ ଭର୍ତ୍ତି ହୋଇ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା।

ଚୀନ୍‌ର ସାମାଜିକ ଗଣମାଧ୍ୟମରେ ପେଲୋସିଙ୍କ ଗସ୍ତ ଉପରେ ଜାତୀୟତାବାଦୀ ନାଗରିକମାନେ ଘୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚୀନ୍ ଏହା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି। ଚୀନ୍ ବି ତାଇୱାନ ଚାରିପଟେ ଦଣ୍ଡମୂଳକ ଲାଇଭ୍-ଫାୟାର୍ ମିଲିଟାରି ଡ୍ରିଲ୍ ଘୋଷଣା କରିବା ସହ ଉକ୍ତ ଡେଞ୍ଜର୍ ଜୋନ୍ ଘୋଷିତ ଅଞ୍ଚଳରେ କୌଣସି ଦେଶର ବିମାନ ଚଳାଚଳକୁ ନିଷିଦ୍ଧ କରିଛି। ଏହାଦ୍ବାରା ଚୀନ୍ ତାଇୱାନ୍‌କୁ ଏକ ପ୍ରକାର ଅବରୋଧ କରି ରଖିଛି। ବାହାର ଦେଶ ସହ ସେମାନଙ୍କର ବାଣିଜ୍ୟ କାରବାର ବ୍ୟାହତ ହୋଇଛି। ତାଇୱାନ ପ୍ରତିରକ୍ଷା ମନ୍ତ୍ରୀ ଚୀନ୍‌ର ଏହି ସମରାଭ୍ୟାସକୁ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ବ୍ୟାହତ କରୁଥିବା ଅନୁଚିତ ପଦକ୍ଷେପ ବୋଲି କହିଛନ୍ତି। କିନ୍ତୁ ଚୀନ୍ କହିଛି ଯେ ଏହି ସମରାଭ୍ୟାସ ଦ୍ବାରା ନୌପରିବହନରେ ସେମାନେ ବାଧା ସୃଷ୍ଟି କରୁନାହାନ୍ତି। ଚୀନ୍ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ହୁଆ ଚୁନିଂ ଏକ ସଂକ୍ଷିପ୍ତ ପ୍ରେସ୍ ବିବୃତିରେ କହିଛନ୍ତି, ଚୀନ୍‌ର ସାମରିକ ଅଭ୍ୟାସ ତାଇୱାନକୁ ନିରୁତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଚୀନ୍‌ର ପ୍ରତିକ୍ରିୟା ଦ୍ବିଧାହୀନ, ଦମ୍‌ଦାର ଓ ପ୍ରଭାବୀ ହେବ ବୋଲି ସେ କହିଛନ୍ତି।

ତାଇୱାନ ଇତିମଧ୍ୟରେ ପଡ଼ୋଶୀ ଜାପାନ ଓ ଫିଲିପିନ୍ସ ସହ ବିକଳ୍ପ ବିମାନ ମାର୍ଗ ବିଷୟରେ କଥାବାର୍ତ୍ତା କରୁଛି। ଚୀନ୍ ତାଇୱାନକୁ ପ୍ରାକୃତିକ ବାଲି ରପ୍ତାନି ଏବଂ ସେଠାରୁ ଫଳ ଓ ମାଛ ଆମଦାନି ବନ୍ଦ କରିଦେଇଛି। ଏହା ମଧ୍ୟ ତାଇୱାନ ଫାଉଣ୍ଡେସନ ଫର୍ ଡେମୋକ୍ରାସି ଓ ତାଇୱାନ ବିଦେଶ ମନ୍ତ୍ରଣାଳୟର ଅନ୍ତର୍ଜାତୀୟ ସହଯୋଗ ଓ ବିକାଶ ପାଣ୍ଠି ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଧମକ ଦେଇଛି। ଅନ୍ୟପଟେ ପେଲୋସି କହିଛନ୍ତି ଯେ, ଚୀନ୍‌ର ରାଗ ତାଙ୍କ ପଦପଦବିକୁ ନେଇ ନୁହେଁ ବରଂ ସେ ଜଣେ ମହିଳା ହୋଇଥିବାରୁ ଚୀନ୍‌ ଭିନ୍ନ ଆଚରଣ ଦେଖାଉଛି। କାରଣ ଆଗରୁ ଅନେକ ସିନେଟର ତଥା ବିଦେଶୀ ସମ୍ପର୍କ କମିଟିର ଅଧ୍ୟକ୍ଷ ତାଇୱାନ ଗସ୍ତ କରିଥିଲେ ବି ଚୀନ୍‌ ଏପରି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲା। ତେବେ ଆମେରିକା ତାଇୱାନର ସୁରକ୍ଷା ପାଇଁ ଯେଉଁ ସଂକଳ୍ପ କରିଛି ତାହାକୁ ଯେ କୌଣସି ମୂଲ୍ୟ ଦେଇ ରକ୍ଷା କରିବ ବୋଲି ପେଲୋସି କହିଛନ୍ତି।

ସମ୍ବନ୍ଧିତ ଖବର